ସୁରତ ଆନ୍ତର୍ଜାତିକ ବିମାନଘାଟିରୁ ଧରାପଡ଼ିଲା ୨୮ କିଲୋ ସୁନା

ଅହମଦାବାଦ: ଗୁଜରାଟର ସୁରତ ଆନ୍ତର୍ଜାତିକ ବିମାନଘାଟିରୁ ପ୍ରଥମ ଥର ପାଇଁ ୨୮ କିଲୋ ସୁନା ଜବତ କରାଯାଇଛି । ୟା’ ପୂର୍ବରୁ ଉକ୍ତ ବିମାନଘାଟିରୁ ଏତେ ପରିମାଣର ସୁନା ଜବତ କରାଯାଇ ନଥିଲା ।

ଜୁଲାଇ ୨୦ ତାରିଖ ରାତି ପ୍ରାୟ ୧୦ଟାରେ ଦୁବାଇରୁ ଆସି ଏୟାର ଇଣ୍ଡିଆର ବିମାନଟି ସୁରତରେ ଅବତରଣ କରିଥିଲା । ଅନ୍ୟାନ୍ୟ ଯାତ୍ରୀମାନଙ୍କ ଗହଣରେ ବିମାନ ଭିତରୁ ବାହାରି ଆସିଥିଲେ ଗୁଜରାଟୀ ଦଂପତି ।

ସେମାନଙ୍କ ହାବଭାବ ଓ କଥା ପ୍ରତି ସନ୍ଦେହ କରିଥିଲା ସିଆଇଏସ୍‌ଏଫ୍ ପୁଲିସ । ସଙ୍ଗେ ସଙ୍ଗେ ବହିଃଶୁଳ୍କ ଅଧିକାରୀଙ୍କୁ ଖବର ଦିଆଗଲା । ପୁରୁଷ ଜଣକ ପିନ୍ଧିଥିଲେ ପାରମ୍ପରିକ ଭାରତୀୟ ପୋଷାକ । ମହିଳା ଜଣକ ପିନ୍ଧିଥିଲେ ସାଲୱାର ସୁଟ୍ । ବହିଃଶୁଳ୍କ ଅଧିକାରୀମାନେ ପୁରୁଷଙ୍କ ନିକଟରୁ ୧୨ କିଲୋ ଓ ମହିଳାଙ୍କ ନିକଟରୁ ୧୬ କିଲୋ ଖାଂଟି ସୁନା ଜବତ କରିଥିଲେ ।