ଶ୍ରୀନଗର : ଆତଙ୍କୀ ନିରୋଧୀ ମିଶନରେ ପୁଣି କାଶ୍ମୀର ପୋଲିସକୁ ସଫଲତା । ଦକ୍ଷିଣ କାଶ୍ମୀର ବାନ୍ଦିପୋରାରେ ପୋଲିସ ୩ ଆତଙ୍କୀଙ୍କୁ ଗିରଫ କରିଛି । ଏହି ଗିରଫ ୩ ଆତଙ୍କୀ ସ୍ଥାନୀୟ ବାସିନ୍ଦା ଓ ଏମାନେ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ପାଇଁ କାର୍ଯ୍ୟ କରୁଥିବା ଜଣାପଡିଛି । ଏମାନଙ୍କୁ ଗିରଫ କରାଯିବା ପରେ ପ୍ରାଥମିକ ଜେରାରେ ସେମାନେ ନିକଟରେ ଘଟିଥିବା ସାଧାରଣ ନାଗରିକ ହତ୍ୟାକାଣ୍ଡକୁ ରୂପ ଦେଇଥିବା ସ୍ୱୀକାର କରିଛନ୍ତି ।
ଘାଟିରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ ହୋଇଛି । ତଦନ୍ତ ଆଧାରରେ ମିଳିଥିବା ସୂଚନା ଅନୁସାରେ, ଏମାନଙ୍କୁ ଚିହ୍ନଟ ସହ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସ୍ଥାନୀୟ ଏସଏସପି ଏମ.ଜେ ମଲିକ ଗଣମାଧ୍ୟମରେ ଆଜିର କର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏହି ଗିରଫ ଆତଙ୍କୀମାନେ କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବିହାରର ମହମ୍ମଦ ଆମ୍ରେଜ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ ମଧ୍ୟ ଏମାନେ ଅନ୍ୟ କିଛି ହିଂସାକାଣ୍ଡରେ ମଧ୍ୟ ସାମିଲ ଥିଲେ । ଏମାନଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଏମାନଙ୍କୁ ଜେରା କରି ଘାଟିରେ ଜାରି ରହିଥିବା ସୀମାପାର ଆତଙ୍କବାଦ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ପ୍ରୟାସ କରୁଥିବା ସେ ସୂଚନା ଦେଇଛନ୍ତି ।