ବେଜିଂ: ଘଟଣାଟି ଘଟିଚି ଚାଇନାର ଝେଜିୟାଂ ରାଜ୍ୟରେ । ହାଙ୍ଗଝୌ ଅଂଚଳରେ ଗୋଟିଏ ବହୁତଳ ପ୍ରାସାଦର ୧୮ ମହଲାରୁ ୩ ବର୍ଷୀୟ ନାବାଳକ ତଳକୁ ଖସିପଡ଼ିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ବଂଚି ଯାଇଛି । ପିଲାଟି ଶୋଇ ପଡ଼ିଥିବ ଭାବି ତା’ର ଜେଜି ମା’ ଘର କବାଟକୁ ବାହାର ପଟୁ ତାଲା ପକାଇ ନିିକଟସ୍ଥ ଦୋକାନକୁ ଯାଇଥିଲେ କିଛି ସଉଦା କିଣିବାକୁ ।
କିନ୍ତୁ ପିଲାଟି ଉଠିପଡ଼ିଲା । ଗାଧୁଆ ଘରକୁ ଗଲା । ଟୟଲେଟ୍ ଉପରେ ଚଢ଼ି ଝରକା ବାଟ ଦେଇ ବାହାରକୁ ଉଣ୍ଡିଲା ବେଳକୁ ହଠାତ୍ ଖସିପଡ଼ିଲା । ତଳକୁ ଖସୁଥିଲା ବେଳେ ପିଲାଟି ଗୋଟିଏ ଗହଳିଆ ଗଛ ଉପରେ ପଡ଼ିଲା । ଗଛଡ଼ାଳ ଭିତର ଦେଇ ପିଲାଟି ତଳକୁ ଖସିପଡ଼ିଲା । ସେହି ଅଂଚଳରେ ରହୁଥିବା ଜଣେ ବ୍ୟକ୍ତି ପିଲାଟି ତଳକୁ ଖସୁଥିବା ଦେଖି ଭିଡିଓ ତିଆରି କରୁଥିଲେ । ସେ ତତ୍କ୍ଷଣାତ୍ ଗଛମୂଳକୁ ଯାଇ ପିଲାଟିକୁ ଖଣ୍ଡିଆ ଖାବରା ଅବସ୍ଥାରେ ପାଇଲେ । ସେ ସଙ୍ଗେ ସଙ୍ଗେ ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ପିଲାଟିର ବାପା ସିସିଟିଭି ଫୁଟେଜ ଦେଖିବା ପରେ ସମସ୍ତ ଘଟଣାକୁ ସତ ମଣିଥିଲେ ।
ଆହତ ପିଲାଟିକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ପିଲାଟିର ଗୋଟିଏ ବାହୁ ଭାଙ୍ଗି ଯାଇଥିଲା । ମେରୁଦଣ୍ଡ ମାଡ଼ ହୋଇଥିଲା । ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସାମାନ୍ୟ କ୍ଷତାକ୍ତ ହୋଇଥିଲା । ମାତ୍ର ମୁଣ୍ଡଟି ସୁରକ୍ଷିତ ଥିଲା ।