ଫ୍ରୋଜେନ୍ ଚିକେନ୍ରେ କରୋନା ଭାଇରସ୍!

ନୂଆଦିଲ୍ଲୀ : ବ୍ରାଜିଲରୁ ଆମଦାନୀ ହେଉଥିବା ଫ୍ରୋଜେନ ଫୁଡରେ କରୋନା ଭାଇରସ ମିଳିଥିବା ଚୀନ ଦାବି କରିଛି | ଚୀନ ଶେନଜେନ୍ ସହରର ଲୋକଙ୍କୁ ବିଦେଶୀ ଫ୍ରୋଜେନ ଫୁଡ ପ୍ରତି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି | ବ୍ରାଜିଲରେ ଚିକେନ ସାମ୍ପଲରେ କରୋନା ଭାଇରସ ମିଳିଥିବା ସ୍ପଷ୍ଟ ହେବାପରେ ଏହି ଗାଇଡଲାଇନ ଜାରି କରାଯାଇଛି | ଚୀନରେ ବିଦେଶରୁ ମଗାଯାଉଥିବା ସାମୁଦ୍ରିକ ଫୁଡ ଓ ଆମିଷର ସ୍କ୍ରିନିଙ୍ଗ ଜୁନ ମାସରୁ ଆରମ୍ଭ କରାଯାଇଛି | ସେହି ସମୟରେ ସ୍ଥାନୀୟ କେନ୍ଦ୍ରରେ ଚିକେନର ପରରୁ ନମୁନା ସଂଗ୍ରହ କରାଯାଇ କରୋନା ଯାଞ୍ଚ କରାଯାଇଥିଲା ଯାହାର ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା | ରିପୋର୍ଟ ପଜିଟିହ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା |ଶେନଜେନ୍ ସ୍ୱାସ୍ଥ୍ୟ ଅଧିକାରୀ ସଂକ୍ରମଣର ସନ୍ଦିଗ୍ଧ ଜିନିଷଗୁଡିକର ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଟ୍ରେସ କରିଛନ୍ତି | ଏପରିକି ସଂକ୍ରମିତ ପ୍ୟାକେଟ ପାଖରେ ରଖାଯାଇଥିବା ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ମଧ୍ୟ କରୋନା ଯାଞ୍ଚ ପାଇଁ ପଠାଯାଇଛି | ବୟାନ ଅନୁଯାୟୀ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି | କରୋନା ଭାଇରସର ସମ୍ବନ୍ଧ ବୁହାନର ସାମୁଦ୍ରିକ ଆମିଷ ବଜାର ସହ ସଂଯୋଜିତ ବୋଲି କୁହାଯାଉଛି |ବିଶେଷଜ୍ଞ କହିଛନ୍ତି ଯେ, SARS-CoV-2 ଭାଇରସ ଫୁଡ କିମ୍ବା ଫୁଡ ପ୍ୟାକେଜିଙ୍ଗକୁ ମଧ୍ୟ ସଂକ୍ରମିତ କରିବାର କ୍ଷମତା ଅଛି | କିନ୍ତୁ ଏହା ଘରର ତାପମାତ୍ରାରେ ଅଧିକ ସମୟ ଯାଏଁ ଜୀବିତ ରହିପାରେ ନାହିଁ | ଅଧିକାରୀ ନିର୍ଦେଶ ଦେଇ କହିଛନ୍ତି ଯେ ବିଦେଶରୁ ମଗାଯାଉଥିବା ଫ୍ରୋଜେନ ଫୁଡ ଓ ସାମୁଦ୍ରିକ ଉତ୍ପାଦ କିଣିବା ସମୟରେ ଲୋକେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ |