ନୂଆଦିଲ୍ଲୀ: ଜିଓ ପକ୍ଷରୁ ପୂର୍ବରୁ ଯୋଗାଇ ଦିଆଯାଉଥିବା ସେବା ବ୍ୟବସ୍ଥାରେ ନାନା ବାଧା ସୃଷ୍ଟି କରି ଉପଭୋକ୍ତାଙ୍କୁ ୫-ଜି ସେବା ପାଇଁ ଏକପ୍ରକାର ବାଧ୍ୟ କରୁଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ । ସରଳ ଉପଭୋକ୍ତା ମୁକେଶଙ୍କର ବ୍ୟବସାୟିକ ଚାଲ ବୁଝି ନପାରି ଅଯଥା ନିଜ ମୋବାଇଲକୁ ଦାୟୀ କରିଚାଲିଛନ୍ତି । ୨୩ ତାରିଖଠାରୁ ଏ ପ୍ରକାର ଅବ୍ୟବସ୍ଥା ଆରମ୍ଭ ହୋଇଛି । ତେବେ କେତେଦିନ ଧରି ଏ ଅବ୍ୟବସ୍ଥା ଜାରି ରହିବ; ତାହା ରିଲାଏନ୍ସ ସ୍ପଷ୍ଟ କରିନି ।
ଯାହା ଜଣାଯାଏ, ୫-ଜି ସେବା ପାଇଁ ମୁକେଶ ଯେତିକି ସଂଖ୍ୟକ ଉପଭୋକ୍ତା ଆଶା କରିଛନ୍ତି । ସେତିକି ସଂଖ୍ୟକ ଉପଭୋକ୍ତା ନ ପାଇବା ଯାଏ ୨-ଜି, ୩-ଜି, ଓ ୪-ଜି ସେବା ବାଧାପ୍ରାପ୍ତ ରହିବ । ଉପଭୋକ୍ତା ଆବଶ୍ୟକ ରକମର ରିଚାର୍ଜ କଲେ ମଧ୍ୟ ଅଯଥା କଷ୍ଟ ଭୋଗିବାକୁ ବାଧ୍ୟ । ଦୀପାବଳିଠାରୁ ଦେଶରେ ୫-ଜି ସେବା ଶୁଭାରମ୍ଭ ପାଇଁ ବହୁ ପୂର୍ବରୁ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ । ଯୋଜନା ମୁତାବକ ଦୀପାବଳି ପୂର୍ବଦିନ ଅର୍ଥାତ୍ ୨୩ ତାରିଖ ସନ୍ଧ୍ୟା ସମୟରୁ ୪-ଜି ଉପଭୋକ୍ତାଙ୍କ ନେଟ୍ୱାର୍କ ବାଧାପ୍ରାପ୍ତ ହେଲା ।
ଅଧିକାଂଶ ଟାୱାରରୁ ଉପଭୋକ୍ତାଙ୍କୁ ସେବା ଦିଆଗଲାନି । ଅନ୍ୟ ପକ୍ଷରେ ନେଟ୍ୱାର୍କ କାମ କରୁନି ବୋଲି ଅଭିଯୋଗ କରୁଥିବା ଉପଭୋକ୍ତାଙ୍କୁ ୫-ଜି ସେବା ପାଇବା ପାଇଁ ଡିଜିଟାଲ୍ ପରାମର୍ଶ ଦିଆଗଲା । ଟେଲିକମ୍ ସେବା କ୍ଷେତ୍ରରେ ବ୍ୟବସାୟିକ ଲକ୍ଷ୍ୟ ହାସଲ ପାଇଁ ମୁକେଶ ଅମ୍ବାନୀଙ୍କର ଏ ପ୍ରକାର କୃତ୍ରିମ ଅଡୁଆ ନୁଆ ନୁହେଁ । ଅତୀତରେ ମାତ୍ର ୫୦୦ ଟଙ୍କାରେ ମୋବାଇଲ୍ ଯୋଜନାର ଶୁଭାରମ୍ଭ କରି ପ୍ରତିଦ୍ୱନ୍ଦ୍ୱୀଙ୍କ ବ୍ୟବସାୟକୁ ବିପୁଳ କ୍ଷତିରେ ପକାଇଥିଲେ ମୁକେଶ । ବିଭିନ୍ନ ସମୟରେ ନାନା ଥୋପ ପକାଇ ଉପଭୋକ୍ତାଙ୍କୁ ଶିକାର କରିବାର କଳା ମୁକେଶଙ୍କୁ ଜଣା ।
ଜଣେ ଉପଭୋକ୍ତା ଅଭିଯୋଗ କରିଛନ୍ତି, ‘ମୁଁ ଦିନକୁ ୨ ଜିବି ଡାଟା ଆକାରରେ ୨୮ ଦିନ ପାଇଁ ୨୯୯ ଟଙ୍କା ରିଚାର୍ଜ କଲି । ୨୩ ତାରିଖରୁ ୨୬ ତାରିଖ ରାତି ପର୍ଯ୍ୟନ୍ତ ମୋ ମୋବାଇଲରେ ଡାଟା କାମ କରୁନି । ଚାରିଦିନ ଧରି ଯେଉଁ ବ୍ୟବସାୟ ବାଧାପ୍ରାପ୍ତ ହେଲା । ତା’ର କ୍ଷତି ମୁକେଶ ଅମ୍ବାନୀ ଭରିବେ କି? ସେବା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ୨୯୯ ଟଙ୍କା ନେଲେ; ମାତ୍ର ଚାରିଦିନ ଧରି ଡାଟା ସେବା ଦେଲେନାହିଁ । ମୁଁ ଜଣେ ବ୍ୟବସାୟୀ ଲୋକ । ଡାଟା ସେବା ବାଧାପ୍ରାପ୍ତ ହେବାରୁ ଦୈନିକ ପ୍ରାୟ ୨୦ ହଜାର ଟଙ୍କାର ବେପାର ବନ୍ଦ ହୋଇଗଲା । ୫-ଜି ସେବା ପାଇଁ ଉପଭୋକ୍ତା ସୃଷ୍ଟି କରିବା ଲୋଭରେ ମୁକେଶ ଅନ୍ୟ ବ୍ୟବସାୟୀଙ୍କୁ କ୍ଷତିଗ୍ରସ୍ତ କରିବା କୋଉ ଆଇନରେ ଅଛି?’