ଆସୁଛି ୫୦ ହଜାର ବର୍ଷ ତଳର ଧୂମକେତୁ

ଧ୍ରୁବତାରା ନିକଟରେ ଖାଲି ଆଖିରେ ଦେଖିପାରିବେ….

ନୂଆଦିଲ୍ଲୀ: ଆଜି ରାତି (ଫେବୃଆରୀ ୨-୩ ଭୋର) ସମୟରେ ଉତର ଆକାଶରେ ସବୁଜରଙ୍ଗର ଧୂମକେତୁ ସି/୨୦୨୨ଇ୩ ପୃଥିବୀ ନିକଟ ଦେଇ ଗତିକରିବ । ଆଜକୁ ୫୦ ହଜାର ବର୍ଷ ତଳେ ଅର୍ଥାତ୍‌ ବରଫଯୁଗ ଅମଳରେ ଏହି ଧୂମକେତୁଟି ପୃଥିବୀ ନିକଟକୁ ଆସିଥିଲା । ସେତେବେଳେ ପୃଥିବୀପୃଷ୍ଠରେ ଗରିଲା ଆକୃତିର ମଣିଷ ବସବାସ କରୁଥିଲେ । ହାତୀଠାରୁ ବିରାଟକାୟ ମାମଥ ବିଚରଣ କରୁଥିଲେ । ପ୍ରଦୂଷଣ ନଥିବା କାରଣରୁ ଧବଳ ପୃଥିବୀପୃଷ୍ଠରୁ ସବୁଜ ଧୂମକେତୁଟି ଅତି ସୁନ୍ଦର ଦିଶୁଥିବ ବୋଲି ଜ୍ୟୋତିର୍ବିଜ୍ଞାନୀ ମହଲରୁ ପ୍ରକାଶ ।

ଆଜିର ବିରଳ ସୁଯୋଗକୁ ହାତଛଡ଼ା କଲେ ଧୂମକେତୁଟିକୁ ପୁନର୍ବାର ଦେଖିବା ପାଇଁ ଆପଣଙ୍କୁ ୫୦ ହଜାର ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଆପଣଙ୍କ ଅଂଚଳରେ ଆକାଶ ନିର୍ମଳ ଥିଲେ ଧୂମକେତୁଟିକୁ ଖାଲି ଆଖିରେ ଦେଖିପାରିବେ । ଧୂମକେତୁଟିକୁ ୨୦୨୨ ମାର୍ଚ୍ଚ ମାସରେ ଆବିଷ୍କାର କରିଥିଲେ କାଲିଫର୍ଣ୍ଣିଆର ଜ୍ୱିକି ଟ୍ରାନ୍ସଜିଏଂଟ ଫାସିଲିଟି । ସେହିଦିନଠାରୁ ସଂସ୍ଥାର ଜ୍ୟୋତିର୍ବିଜ୍ଞାନୀ ଗୋଷ୍ଠୀ ଧୂମକେତୁର ଗତିବିଧି ପ୍ରତି ତୀକ୍ଷ୍ଣ ନଜର ରଖିଛନ୍ତି ।

ଧୂମକେତୁଟି ୧-୨ ତାରିଖ ବିଳମ୍ବିତ ରାତିରେ ପୃଥିବୀର ନିକଟକୁ ଆସିବାର ଥିଲା ମାତ୍ର କେଜାଣି କାହିଁକି ଗତି ଧିମେଇ ଯାଇଛି । ସାଧାରଣତଃ ଧୂମକେତୁର ଗତିବିଧି ଓ ଲାଞ୍ଜ ବିଷୟରେ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ବହୁ ଧୂମକେତୁ ସୂର୍ଯ୍ୟଙ୍କ ଆଡ଼କୁ ଗତି କରୁଥିବା ବେଳେ ହଠାତ୍‌ ବାଟ ଭାଙ୍ଗି ଚାଲି ଯାଇଥିବାର ଦେଖିବାକୁ ମିଳିଛି । ଏବେ ଆମର ପ୍ରିୟ ଧୂମକେତୁଟି ଘଂଟାକୁ ୨ ଲକ୍ଷ କିଲୋମିଟର ବେଗରେ ପୃଥିବୀ ନିକଟକୁ ଆସୁଛି ।

ଧୂମକେତୁଟି ସୂର୍ଯ୍ୟ ନିକଟତର ହେବାକ୍ଷଣି ତେଜ ବିକିରଣ କରିଥାଏ । ତା’ ସହିତ ସୂର୍ଯ୍ୟଙ୍କ ଆଡକୁ ଗତି କରୁଥିବାରୁ ତା’ର ଜଳନ୍ତା ଭାଗଟି ବିପରୀତ ଦିଗକୁ ରହିଥାଏ । ଫଳରେ ବିକିରଣ ଭାଗଟି ଆମକୁ ଧୂମକେତୁଟିର ଲାଞ୍ଜ ଭଳି ପ୍ରତୀୟମାନ ହୋଇଥାଏ ।

ଧୂମକେତୁ ପୃଷ୍ଠରେ ଯେଉଁ ରଙ୍ଗର ବରଫ ଜମାଟ ବାନ୍ଧି ରହିଥାଏ, ସେହି ରଙ୍ଗର ବିକିରଣ ପ୍ରକାଶ ଦୃଶ୍ୟମାନ ହୋଇଥାଏ । ଉତର ଗୋଲାର୍ଦ୍ଧର ଲୋକମାନେ ଭୋର ହେବାର ଠିକ୍‌ କିଛି ସମୟ ପୂର୍ବରୁ ଆକାଶର ଉତର-ପଶ୍ଚିମ କୋଣରେ ଧୂମକେତୁ ଦେଖିପାରିବେ । ଦକ୍ଷିଣ ଗୋଲାର୍ଦ୍ଧର ଲୋକମାନେ ଫେବୃୟାରୀ ପ୍ରଥମ ସପ୍ତାହରେ ଧୂମକେତୁଟିକୁ ଦେଖିପାରିବେ ।