୭୫ ବର୍ଷର ସ୍ୱାଧୀନ ଭାରତ: ୭୫ ଐତିହାସିକ ପଦକ୍ଷେପ -୨

(ଦ୍ୱିତୀୟ ଭାଗ: ୧୯୬୧-୮୦)

୧୯୪୭ ଅଗଷ୍ଟ ୧୫ ଦିନଟିକୁ ଭାରତବାସୀ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛନ୍ତି । ୭୫ଟି ସୋପାନ ଅତିକ୍ରମ କରି ଆମେ ୭୬ତମ ସୋପାନରେ ପାଦ ଦେଉଛୁ । ୭୫ ସୋପାନରେ ଆମେ ‘ଦେଶ ଓ ଦଶ’ ସୁବିଧା ପାଇଁ ୭୫ଟି ଐତିହାସିକ ପଦକ୍ଷେପ ଗ୍ରହଣ କରିଛୁ । ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଆପଣଙ୍କୁ ମନେ ପକାଇଦେବାର ପ୍ରୟାସ କରୁଛୁ ।

୧୯୬୧: ୧୯୬୧ ଜୁଲାଇ ପହିଲାରେ ସଂସଦରେ ‘ଯୌତୁକ ନିଷେଧ ଅଧିନିୟମ ୧୯୬୧’ ଅନୁମୋଦନ ଲାଭ କଲା । ଫଳରେ ଯୌତୁକ ଦେଣନେଣ ବ୍ୟବସ୍ଥା ବେଆଇନ ଘୋଷିତ ହେଲା ।

୧୯୬୩: ନଭେମ୍ବର ୨୧ ତାରିଖରେ ଥିରୁବନନ୍ତପୁରମ ନିକଟରେ ଅବସ୍ଥିତ ଥୁମ୍ବାରୁ ଦେଶର ପ୍ରଥମ ରକେଟ୍‌ ଉତ୍‌କ୍ଷେପଣ କରାଯାଇଥିଲା । ତା’ ସହିତ ଭାରତର ମହାକାଶ ଅଭିଯାନର ମୂଳଦୁଆ ପଡ଼ିଲା ।

୧୯୬୮: ପଣ୍ଡିତ ରବି ଶଙ୍କର ତାଙ୍କ ଆଲବମ୍‌ ‘ୱେଷ୍ଟ ମିଟ୍‌ସ ଇଷ୍ଟ୍‌’ ପାଇଁ ଗ୍ରେମୀ ପୁରସ୍କାର ଲାଭ କରିଥିଲେ । ପ୍ରଥମ ଭାରତୀୟ ଭାବେ ଏହା ଥିଲା ଆନ୍ତର୍ଜାତିକ ସ୍ୱୀକୃତି ।

୧୯୬୯: ଜୁଲାଇ ୧୯ ତାରିଖରେ ଭାରତ ସରକାର ୧୪ଟି ବ୍ୟବସାୟିକ ବ୍ୟାଙ୍କକୁ ରାଷ୍ଟାୟତ କଲେ । ସେହି ବ୍ୟାଙ୍କଗୁଡ଼ିକ ହେଲେ ଆଲ୍ଲାହାବାଦ ବ୍ୟାଙ୍କ, କାନାରା ବ୍ୟାଙ୍କ, ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ସିଣ୍ଡିକେଟ୍‌ ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସେଂଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ବ୍ୟାଙ୍କ, ଦେନା ବ୍ୟାଙ୍କ ଓ ୟୁନିଅନ୍‌ ବ୍ୟାଙ୍କ ।

୧୯୬୯: ଅକ୍ଟୋବର ୨୮ ତାରିଖରେ ଭାରତକୁ ପ୍ରଥମ ବ୍ୟବସାୟିକ ପରମାଣୁ ଶକ୍ତି କେନ୍ଦ୍ର ମିଳିଲା । ଭାରତ, ଆମେରିକା ଓ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ବୁଝାମଣା ଅନୁସାରେ ତାରାପୁର ପରମାଣୁ ଶକ୍ତି କେନ୍ଦ୍ର କାର୍ଯ୍ୟକ୍ଷମ ହେଲା । ପ୍ରଥମେ ଶକ୍ତିକେନ୍ଦ୍ରରୁ ପରୀକ୍ଷାମୂଳକ ଭାବେ ୨୧୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କରାଗଲା ।

୧୯୭୦: ଭାରତରେ ‘ଶ୍ୱେତକ୍ରାନ୍ତି’ର ମୂଳଦୁଆ ପଡ଼ିଲା । ବର୍ଗୀଜ କୁରିିଏନ୍‌ଙ୍କ ଦକ୍ଷ ପରିଚାଳନାରେ ଦେଶରୁ କ୍ଷୀର ଅଭାବ ଦୂର ହେଲା । ଗ୍ରାମାଂଚଳର ମହିଳାମାନଙ୍କୁ ନେଇ ଗଠିତ ସମବାୟ ସଂସ୍ଥା ଜରିଆରେ କ୍ଷୀର ସଂଗ୍ରହ, ଶୀତଳୀକରଣ ଓ ବଜାରକୁ ଛଡ଼ାଯିବା ଫଳରେ ଏହି ସଂସ୍ଥା ବିଶ୍ୱସ୍ତରରେ ସର୍ବବୃହତ୍‌ ସମବାୟ ସଂସ୍ଥା ପରିଚୟ ବହନ କଲା ।

୧୯୭୪: ଭାରତ ପ୍ରଥମ ଥର ପାଇଁ ପୋଖରନରେ ସଫଳତାର ସହ ପରମାଣୁ ପରୀକ୍ଷଣ କଲା । ସେହି ବର୍ଷ ଭାରତ ଆନ୍ତର୍ଜାତିକ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ତାଲିକାରେ ସ୍ଥାନ ପାଇଲା ।

୧୯୭୪: ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ ‘ମୁମ୍ବାଇ ହାଇ’ରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଉତୋଳନ ଆରମ୍ଭ ହୋଇଥିଲା । ମୁମ୍ବାଇ ଉପକୂଳଠାରୁ ୧୭୬ କିମି ଦୂରରେ ସମୁଦ୍ର ଗର୍ଭରେ ପ୍ରତିଷ୍ଠିତ ମୁମ୍ବାଇ ହାଇ’ର ପରିଚାଳନା ଭାର ‘ଅଏଲ୍‌ ଆଣ୍ଡ୍‌ ନାଚୁରାଲ ଗ୍ୟାସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ’ ବହନ କଲା ।

୧୯୭୫: ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଭାରତ ପ୍ରଥମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’ ତିଆରି କଲା । ଏପ୍ରିଲ ୧୯ ତାରିଖରେ ରୁଷ ତିଆରି ରକେଟ୍‌ ଜରିଆରେ ମହାକାଶକୁ ପଠାଇ ଭାରତ ମହାକାଶ ଇତିହାସରେ ନୂତନ ଅଧ୍ୟାୟ ଆରମ୍ଭ କଲା ।

୧୯୭୫: ଡିସେମ୍ବର ୧୫ ତାରିଖରେ ‘ଇଣ୍ଡିଆ ଟୁଡେ’ ପତ୍ରିକା ପ୍ରକାଶ ପାଇଲା । ଦିନକୁ ଦିନ ପତ୍ରିକାଟି ଲୋକପ୍ରିୟତାର ଶୀର୍ଷରେ ପହଂଚିଲା । ଏବେ ଇଣ୍ଡିଆ ଟୁଡେ ଗ୍ରୁପ ମାଲିକାନାରେ ଆଜତକ, ବିଜନେସ୍‌ ଟୁଡେ, ଇଣ୍ଡିଆ ଟୁଡେ ଟିଭି, ଲଲ୍ଳନଟପ୍‌, ଗୁଡ୍‌ ନ୍ୟୁଜ୍‌ ଟୁଡେ, ଅଟୋ ଟୁଡେ, ବ୍ରାଇଡ୍ସ ଟୁଡେ ସମେତ ବହୁ ପତ୍ରିକା ପ୍ରକାଶିତ ହେଉଛି ।

୧୯୭୮: ଭାରତ ତିଆରି ପ୍ରଥମ କମ୍ପ୍ୟୁଟର୍‌ ‘ଏଚ୍‌ସିଏଲ୍‌୮ସି’ ବଜାରକୁ ପ୍ରବେଶ କଲା ।

୧୯୭୯: ସାମାଜିକ ଓ ଆର୍ଥିକ ଥଇଥାନ ପାଇଁ ପଛୁଆ ଶ୍ରେଣୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତ ପାଇଁ ବିପି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ମଣ୍ଡଳ କମିଶନ ଗଠନ କରାଗଲା ।