୭୫ ବର୍ଷର ସ୍ୱାଧୀନ ଭାରତ: ୭୫ ଐତିହାସିକ ପଦକ୍ଷେପ

ପ୍ରଥମ ଭାଗ: (୧୯୪୭-୬୦)

୧୯୪୭ ଅଗଷ୍ଟ ୧୫ ଦିନଟିକୁ ଭାରତବାସୀ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛନ୍ତି । ୭୫ଟି ସୋପାନ ଅତିକ୍ରମ କରି ଆମେ ୭୬ତମ ସୋପାନରେ ପାଦ ଦେଉଛୁ । ୭୫ ସୋପାନରେ ଆମେ ‘ଦେଶ ଓ ଦଶ’ ସୁବିଧା ପାଇଁ ୭୫ଟି ଐତିହାସିକ ପଦକ୍ଷେପ ଗ୍ରହଣ କରିଛୁ । ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଆପଣଙ୍କୁ ମନେ ପକାଇଦେବାର ପ୍ରୟାସ କରୁଛୁ ।

୧୯୪୭: ଅଖଣ୍ଡ ଭାରତକୁ ବ୍ରିଟିଶ ଇଣ୍ଡିଆ ଭାରତ ଓ ପାକିସ୍ତାନ ନାମରେ ଦୁଇଖଣ୍ଡ କରି ଦିଆଗଲା । କେବଳ ମାଟି ଉପରେ ସୀମାରେଖା ଟଣାଗଲାନି; ମନ ଉପରେ ସାଂପ୍ରଦାୟିକ ରେଖା ଟାଣି ଦିଆଗଲା।

୧୯୪୭ ମତଦାନ ଅଧିକାର: ସ୍ୱାଧୀନତା ପ୍ରାପ୍ତ ପରେ ବୟସ୍କ ନାଗରିକଙ୍କୁ ମତଦାନ ଅଧିକାର ଦିଆଯିବାର ପ୍ରତିଶ୍ରୁତି ଦିଆ ଯାଇଥିଲା । ତଦନୁଯାୟୀ ଭାରତର ସମ୍ବିଧାନରେ ମତଦାନ ବ୍ୟବସ୍ଥା କରାଗଲା ।

୧୯୫୧ରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା ।

୧୯୪୮ କଶ୍ମୀର ମିଶ୍ରଣ: ମହାରାଜ ହରିସିଂହ ଓ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା । ଫଳରେ ଭାରତ ଓ ପାକିସ୍ତାନ ଭିତରେ ବିବାଦର ଅବସାନ ଘଟିଲା । କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ହୋଇଗଲା ।

୧୯୫୦: ଭାରତ ଗଣତାନ୍ତ୍ରିକ ରାଷ୍ଟ୍ର ପରିଚୟ ପାଇଲା । ୧୯୪୯ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ବ୍ୟବସ୍ଥାପକ ସଭାରେ ଗୃହୀତ ହୋଇଥିଲା । ମାତ୍ର ୧୯୫୦ ଜାନୁଆରୀ ୨୬ ତାରିଖରୁ ସମ୍ବିଧାନ କାର୍ଯ୍ୟକାରୀ କରାଗଲା ।

୧୯୫୧: ବ୍ରିଟିଶ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ରେଳବାଇ ୧୯୫୧ରେ ରାଷ୍ଟ୍ରାୟତ ସଂସ୍ଥା ସ୍ୱୀକୃତି ପାଇଲା । ପ୍ରଥମେ ଭାରତୀୟ ରେଳବାଇକୁ ତିନୋଟି ଜୋନରେ ବିଭାଜନ କରାଯାଇଥିଲା । ଏବେ ଭାରତୀୟ ରେଳବାଇ ବିଶ୍ୱର ସର୍ବଶ୍ରେଷ୍ଠ ନେଟ୍‌ୱାର୍କ ।

୧୯୫୧: ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ଲୋକସଭାର ୪୮୯ ଆସନରୁ କଂଗ୍ରେସ ୩୬୪ ଆସନରେ ଜିତିଲା । ଜବାହରଲାଲ ନେହୁରୁ ଭାରତର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ।

୧୯୫୧: ଭାରତର ନୂଆଦିଲ୍ଲୀରେ ପ୍ରଥମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

୧୯୫୩: ଭାରତରେ ପ୍ରଥମ ଟେକ୍ନିକଲର ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ସୋହରାବ ମୋଦୀଙ୍କ ନିର୍ମିତ ଚଳଚ୍ଚିତ୍ର ‘ଝାନ୍‌ସୀ କି ରାନୀ’ ତିନୋଟି ଭାଷାରେ ପ୍ରଦର୍ଶନ କରାଗଲା ।

୧୯୫୩: ଟାଟା’ଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଏୟାର୍‌ ଇଣ୍ଡିଆ’କୁ ଭାରତ ସରକାର ରାଷ୍ଟ୍ରାୟତ ସଂସ୍ଥା ଘୋଷଣା କଲେ । ଚାରିଦଶନ୍ଧି ଧରି ‘ଏୟାର ଇଣ୍ଡିଆ’ ଲୋକପ୍ରିୟ ସଂସ୍ଥା ଥିଲା ।

୧୯୫୫: ଜୁଲାଇ ପହିଲାରେ ଭାରତ ସରକାର ‘ଇମ୍ପେରିଆଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’କୁ ରାଷ୍ଟାୟତ ଘୋଷଣା କଲେ । ୧୯୨୧ ଜାନୁଆରୀ ୨୭ ତାରିଖରେ ଇମ୍ପେରିଆଲ୍‌ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା ।

୯୫୫ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୬୦ ଭାଗ ମାଲିକାନା ଅଧିଗ୍ରହଣ କରିବା ପରେ ନାମ ବଦଳାଇ ‘ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ କଲେ । ଏବେ ‘ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ ଭାରତର ଅଗ୍ରଣୀ ବ୍ୟାଙ୍କ।
୧୯୫୬: ଅଗଷ୍ଟ ୪ ତାରିଖରେ ଭାରତ ଏସିଆର ପ୍ରଥମ ପରମାଣୁ ରିଆକ୍ଟର ‘ଅପ୍‌ସରା’ ନିର୍ମାଣ କଲା ।

୧୯୫୮: ମେହବୁବ୍‌ ଖାନ୍‌ଙ୍କ ଚଳଚ୍ଚିତ୍ର ‘ମଦର୍‌ ଇଣ୍ଡିଆ’ ବିଶ୍ୱସ୍ତରୀୟ ଖ୍ୟାତିସମ୍ପନ୍ନ ଓସ୍କାର୍‌ ଆୱାର୍ଡସର ଶ୍ରେଷ୍ଠ ବିଦେଶୀ ଭାଷା ରୂପେ ମନୋନୀତ ହୋଇଥିଲା ।

୧୯୫୮: କିଙ୍ଗ୍‌ସ ଅଫ୍‌ ଇଣ୍ଡିଆନ୍‌ ରୋଡ୍ସ ଭାବେ ପରିଚିତ ‘ଆମ୍ବାସାଡ଼ାର’ ପ୍ରଥମେ ରାସ୍ତାକୁ ଓହ୍ଲାଇଲା । ବ୍ରିଟେନ୍‌ କାର ସଂସ୍ଥା ‘ମୋରିସ୍‌ ମୋଟର୍ସ’ ଗଠିତ ମୋରିସ୍‌ ଅକ୍ସଫୋର୍ଡ ସହିତ ହାତ ମିଳାଇ ହିନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡ଼ାର ତିଆରି କଲା ଯାହାର କାରଖାନା ଆଜିର କୋଲକାତା ମହାନଗରୀଠାରୁ ମାତ୍ର ୩୫ କିମି ଉତରପାଡ଼ା’ରେ ଥିଲା ।

୧୯୬୦: ଭାରତର କୃଷି ଉତ୍ପାଦନକୁ ସମୃଦ୍ଧ କରିବା ପାଇଁ ସରକାର ‘ସବୁଜ କ୍ରାନ୍ତି’ ଆରମ୍ଭ କଲେ । ଭାରତର ବିଜ୍ଞାନାଗାରରେ ଅଧିକ ଅମଳକ୍ଷମ ଡାଲି ଓ ଗହମ ବିହନ ପ୍ରସ୍ତୁତ କରାଗଲା । ଫଳରେ ଦେଶର କୃଷି ଉତ୍ପାଦନ କ୍ଷମତା ବୃଦ୍ଧି ପାଇଲା ।