ସମ୍ଭଲ: ଘନ କୁହୁଡ଼ିରେ ଯୋଗୁ ଉତ୍ତର ପ୍ରଦେଶ ସମ୍ଭଲର ଧନାରୀ ଥାନା ନିକଟସ୍ଥ ଏନଏଚ୍-୫୦୯ରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ ବସ୍ ଗ୍ୟାସ୍ ଟ୍ୟାଙ୍କର୍ ଟ୍ରକ୍ ସହ ଧକ୍କା ଖାଇବାରୁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ୨୫ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
ଆହତଙ୍କୁ ଅଲଗା ଅଲଗା ହସ୍ପିଟଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଡିଏମ୍ ଓ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣା ହେବା ଦ୍ୱାରା ହାଇୱେରେ ପ୍ରବଳ ଭିଡ଼ ହୋଇଛି। ଜିଲ୍ଲା ପ୍ରଶାସନ ରିପୋର୍ଟ ମୁତାବକ, ଏପର୍ଯ୍ୟନ୍ତ ୮ଜଣଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ରୋଡୱେଜ୍ ବସର ଗୋଟିଏ ସାଇଡ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ସେ ଅଧିକାରୀଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଚକ୍ରେଶ ମିଶ୍ର କହିଛନ୍ତି, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ। ମୃତଯାତ୍ରୀମାନଙ୍କର ପରିଚୟ ପାଇବାକୁ ଉଦ୍ୟମ ଚାଲିଚି । ଘଟଣାସ୍ଥଳରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଧାର ଅଭିଯାନ ଚାଲିଛି।