ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେପି ୧୬୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରାୟ ତିନିଘଂଟା କାଳ କବାଟକିଳା ଆଲୋଚନା ପରେ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମନକୁ ଜିଣି ପାରିଥିବା ନେତାମାନଙ୍କୁ ଟିକେଟ୍ ଦିଆଯାଇଛି ।
ଚଳିତ ନିର୍ବାଚନରେ ଆପ୍ ବିଜେପିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଆଲୋଚନା ଚାଲିଛି । ଗୁଜରାଟରେ ଅରବିନ୍ଦ କେଜ୍ରିୱାଲଙ୍କୁ କଳାପତାକା ଦେଖାଇ ବିଜେପି ସ୍ୱାଗତ କରିବା ପରେ ନିର୍ବାଚନ ପରିବେଶରେ ଉଷ୍ମତା ଭରିଯାଇଛି । ଗୁଜରାଟ ବିଧାନସଭାର ଆସନ ସଂଖ୍ୟା ୧୮୨ । ସେଥିଭିତରୁ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଚୟନ ସରିଛି । ଅବଶିଷ୍ଠ ୨୨ଟି ଆସନରେ ଚର୍ଚ୍ଚିତ ଚେହେରାଙ୍କୁ ଠିଆ କରାଯିବ । ୮୪ ଜଣ ବିଧାୟକଙ୍କୁ ଟିକେଟ୍ ଦେଇନି ବିଜେପି । ୭୫ ଜଣ ବିଧାୟକଙ୍କୁ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇଛି ।
ବାଚସ୍ପତି ନିମାବେନ୍ ଆଚାର୍ଯ୍ୟଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିନି । ଗୁଜରାଟ ବିଜେପି ସଭାପତି ସିଆର ପାଟିଲଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ, ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା, ପୂର୍ବତନ ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂହ ଚୁଡାସ୍ମା, ବିଜେପି ନେତା ସୌରଭ ପଟେଲ ଓ ଆରସି ଫଲଦୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନଡ୍ଡାଙ୍କ ନିକଟକୁ ଚିଠି ଲେଖିଥିଲେ ।
ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘାଟଲୋଢ଼ିୟା ଆସନରୁ ନିର୍ବାଚନ ଲଢ଼ିବେ । ତାଙ୍କ ବିରୋଧରେ କଂଗ୍ରେସର ଏମି ଯାଗନିକ ମଇଦାନକୁ ଓହ୍ଲାଉଛନ୍ତି । ପଟେଲଙ୍କ କ୍ୟାବିନେଟର ୫ ଜଣ ମନ୍ତ୍ରୀ ଟିକେଟରୁ ବଂଚିତ ହୋଇଛନ୍ତି । ମୋର୍ବି ବିଧାୟକ ବୃଜେଶଙ୍କ ଟିକେଟ୍ କଟିଯାଇଛି । ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ କାନ୍ତିଲାଲ ଅମୃତିୟାଙ୍କୁ ଟିକେଟ୍ ମିଳିଛି । ମୋର୍ବି ଝୁଲାପୋଲ ଦୁର୍ଘଟଣା ଖବର ଶୁଣିବା ମାତ୍ରେ କାନ୍ତିଲାଲ ଘଟଣାସ୍ଥଳରେ ପହଂଚି ନଦୀକୁ ଡେଇଁ ବିପନ୍ନଙ୍କୁ ଉଦ୍ଧାର କରିଥିଲେ ।
ବିପନ୍ନଙ୍କୁ ଉଦ୍ଧାର ପାଇଁ ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପରିବେଷଣ କରିଥିଲେ । କ୍ରିକେଟିୟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ଉତର ଜାମନଗରରୁ ଲଢ଼ିବା ପାଇଁ ଟିକେଟ୍ ଦିଆଯାଇଛି । କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା କିଛି ନେତାଙ୍କୁ ଟିକେଟ୍ ଦିଆଯାଇଛି ।