ପେଟ ଭିତରୁ ୯ କୋଟି ଟଙ୍କାର ହେରୋଇନ ଜବତ

ପ୍ଲାଷ୍ଟିକ କ୍ୟାପସୁଲ ମଧ୍ୟରେ ଏତେ ପରିମାଣର ହେରୋଇନ ରହିଥିଲା….

ନୂଆଦିଲ୍ଲୀ: ଚେନ୍ନାଇ ଏୟାରପୋର୍ଟରୁ ଜଣେ ତାଞ୍ଜାନିଆନ ନାଗରିକଙ୍କ ଠାରୁ ୧.୨୬୬ କେଜିର ହେରୋଇନ ଜବତ କରାଯାଇଛି । ଏହି ଜବତ ହେରୋଇନର ମୂଲ୍ୟ ୯ କୋଟି ଟଙ୍କା ହେବ । ତେବେ ଚାଲାଣ ହେଉଥିବା ଅଭିବନ ଉପାୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବ୍ୟକ୍ତି ଜଣ ଏତେ ପରିମାଣର ହେରୋଇନକୁ ନିଜ ପେଟ ଭିତରେ ରଖିଥିଲେ । ଯାଞ୍ଚ ବେଳେ ତାଙ୍କ ପେଟ ଭିତରୁ ହେରୋଇନ ଜବତ କରାଯାଇଛି । ପ୍ଲାଷ୍ଟିକ କ୍ୟାପସୁଲ ମଧ୍ୟରେ ଏତେ ପରିମାଣର ହେରୋଇନ ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୪ରେ ବ୍ୟକ୍ତି ଜଣଙ୍କ ଇଣ୍ଟେବେରୁ ଇଥୋପିଆ ଏୟାରଲାଇନ୍ସର ବିମାନ ଯୋଗେ ଚେନ୍ନାଇ ଏୟାରପୋର୍ଟକୁ ଆସିଥିଲେ ।

ସେ ହେରୋଇନ ଚାଲାଣ କରୁଥିବା ପୂର୍ବରୁ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା । ଏହି ସୂଚନା ଆଧାରରେ କଷ୍ଟମ ବିଭାଗର ଅଧିକାରୀମାନେ ତାଙ୍କୁ ଏୟାରପୋର୍ଟରେ ଅଟକ ରଖି ଯାଞ୍ଚ ଆରମ୍ଭ କରିଥିଲେ । ଯାଞ୍ଚ ବେଳେ ତାଙ୍କ ପେଟ ଭିତରେ କ୍ୟାପସୁଲରେ ଭର୍ତ୍ତି ହୋଇ ରହିଥିବା ହେରୋଇନ ସମ୍ପର୍କରେ ତଥ୍ୟ ମିଳିଥିଲା । ପରବର୍ତ୍ତୀ ଅବସ୍ଥାରେ ଏଗୁଡ଼ିକୁ ତାଙ୍କ ପେଟରୁ ଅଧିକାରୀମାନେ ବାହାର କରିଥିଲେ ।