ବସ-ଅଟୋ ଧକ୍କାରେ ଚାଲିଗଲା ୯ ଜୀବନ

ବୀରଭୂମି ଏସପି କହିଛନ୍ତି, ରାମପୁରହାଟ ନିକଟ ମାଲ୍ଲାପୁରଠାରେ ଏହି ଦୁର୍ଘଟଣା ଘଟିଛି….

ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମି ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ବସ ସହ ସାମ୍ନା ପଟୁ ଆସୁଥିବା ଅଟୋର ଜୋରଦାର ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସଂପୂର୍ଣ୍ଣ ଚୂରାମାର ହେବା ସହ ଏଥିରେ ଥିବା ୯ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବୀରଭୂମି ଏସପି କହିଛନ୍ତି, ରାମପୁରହାଟ ନିକଟ ମାଲ୍ଲାପୁରଠାରେ ଏହି ଦୁର୍ଘଟଣା ଘଟିଛି ।

କ୍ଷମତାଠାରୁ ଅଧିକ ଲୋକ ଅଟୋରେ ଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସର ସାମ୍ନା ପଟେ ଅଟୋଟି ଏତେ ଜୋରରେ ମାଡ଼ ହୋଇଥିଲା ଯେ ଏହାକୁ ବାହାର କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ସୂଚନାଯାଗ୍ୟ ଯେ, ଅଟୋରେ ଥିବା ଲୋକମାନେ କ୍ଷେତରେ କାମ ସାରି ନିଜ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।