ନୂଆଦିଲ୍ଲୀ: ସୁଦୂର ମେକ୍ସିକୋର ଏକ ନିପଟ ମଫସଲ ଅଂଚଳରେ ପ୍ରତିଷ୍ଠିତ ଗୋଟିଏ ଡାକ୍ତରଖାନାରେ ଜଣେ ଗଭୀବତୀ ଲାଞ୍ଜଥିବା ଶିଶୁକନ୍ୟାଟିଏ ଜନ୍ମ ଦେଇଛନ୍ତି । ଜନ୍ମିତ ଶିଶୁଙ୍କ ଲାଞ୍ଜ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପିଲାଟିର ଶାରୀରିକ ଗଠନ ସାଧାରଣ ଶିଶୁ ପରି ଥିଲାବେଳେ ଲାଞ୍ଜଟି ହଲଚଲ କରୁଥିଲା । ନବଜାତକର ଲାଞ୍ଜଟିର ଲମ୍ବ ୨.୨ ଇଂଚ ଥିଲା । ଜନ୍ମ ହେବାପରେ ତା’ର ଲାଞ୍ଜ ୦.୮ ସେମି ବଢ଼ିଯାଇଥିଲା ।
ଡାକ୍ତରମାନେ ଅସ୍ତ୍ରୋପଚାର କରି ଲାଞ୍ଜଟିକୁ ହଟାଇ ଦେଇଛନ୍ତି । ଉଭୟ ମା’ ଓ ଶିଶୁ ବେଶ ସୁସ୍ଥ ଅଛନ୍ତି । ଲାଞ୍ଜରେ ସାମାନ୍ୟ ଲୋମ ଥିଲା । ଡାକ୍ତରମାନେ ପ୍ରାୟ ଦୁଇମାସ ଧରି ପିଲାଟିକୁ ମନିଟର୍ କରୁଥିଲେ । ପିଲାଟିର ସ୍ୱାସ୍ଥ୍ୟ ସାଧାରଣ ପିଲା ପରି ବୃଦ୍ଧି ପାଉଛି । ଓଜନ ମଧ୍ୟ ଠିକ୍ଠାକ୍ ଥିଲା । ପିଲାଟିର ଶରୀର ଓ ମସ୍ତିଷ୍କ ବେଶ ସ୍ୱାଭାବିକ ଅଛି । ପିଲାଟିର ମା-ବାପାଙ୍କ ବୟସ ୨୦-୩୦ ବର୍ଷ ବୟସ ଭିତରେ ।
ଡାକ୍ତରଙ୍କ ମତରେ ଯଦିଓ ଲାଞ୍ଜବିଶିଷ୍ଟ ପିଲା ଏକ ବିରଳ ଘଟଣା । ସାଧାରଣତଃ ଦୁଇପ୍ରକାର ଲାଞ୍ଜ ବିଶିଷ୍ଟ ପିଲା ଜନ୍ମ ହୋଇଥାନ୍ତି । ଗୋଟିଏ ପ୍ରକାର ଲାଞ୍ଜରେ ହାଡ଼ ଥାଏ । ଆଉ ଗୋଟିଏ ପ୍ରକାର ଲାଞ୍ଜଟି କେବଳ ମାଂସ ଓ କୋଷରେ ଗଢ଼ା । ଏ ଯାବତ୍ ପ୍ରଥମ ପ୍ରକାର ଲାଞ୍ଜବିଶିଷ୍ଟ ପିଲାଙ୍କ ସଂଖ୍ୟା ୧୯୫ ଭିତରେ ଥିଲାବେଳେ ଦ୍ୱିତୀୟ ପ୍ରକାର ଲାଞ୍ଜ ଥିବା ପିଲାଙ୍କ ସଂଖ୍ୟା ୪୦ରେ ସୀମିତ ଅଛି ।
ଅସ୍ଥିଥିବା ଲାଞ୍ଜକୁ ଭେଷ୍ଟିଜିୟଲ ଟେଲ୍ କୁହାଯାଏ । ଅସ୍ଥି ନଥିବା ଲାଞ୍ଜକୁ ଟ୍ରୁ ଟେଲ କହନ୍ତି । ପ୍ରଥମ ପ୍ରକାର ଲାଞ୍ଜବିଶିଷ୍ଟ ପିଲା ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜାପାନ, ଇଟାଲୀ ଓ ଜର୍ମାନୀରେ ଜନ୍ମ ହୋଇଥିବାର ରେକର୍ଡ ଅଛି ।