ଅଯୋଧ୍ୟାରେ ତିଆରି ହେବ ଶ୍ରୀରାମଚନ୍ଦ୍ରଙ୍କ ବିଶାଳ ପ୍ରତିମୂର୍ତ୍ତି

ଅଯୋଧ୍ୟା : ଧର୍ମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବ । ଯାହାକି ବିଶ୍ୱର ସବୁଠୁ ବଡ ପ୍ରତିମୂର୍ତ୍ତି ଭାବେ ସ୍ଥାନ ପାଇବ । ଗୁଜୁରାଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟ ନିର୍ମାଣ କରିଥିବା ବିଶ୍ୱପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଭୂଷଣ ସମ୍ମାନପ୍ରାପ୍ତ ରାମ ଭି ସୁତାର ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବେ । ପ୍ରଭୁ ରାମଙ୍କ ଏହି ପ୍ରତିମା ଦୁନିଆର ସବୁଠୁ ଉଚ୍ଚ଼ ପ୍ରତିମୂର୍ତ୍ତି କୁହାଯାଉଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟକୁ ପଛରେ ପକାଇବ । ଏହି ପ୍ରତିମୂର୍ତ୍ତିିର ଉଚ୍ଚ଼ତା ପ୍ରାୟ ୨୫୧ ମିଟର ରହିବ ବୋଲି ଜଣାପଡିଛି ।

ଖ୍ୟାତିନାମା ଶିଳ୍ପୀ ସୁତାର ବର୍ତ୍ତମାନ ନିଜ ପୁଅଙ୍କ ସହ ରାମ ଜନ୍ମଭୂମି ଅଯୋଧ୍ୟାରେ ଅଛନ୍ତି । ପଦ୍ମଭୂଷଣ ସମ୍ମାନପ୍ରାପ୍ତ ଏହି ପ୍ରସିଦ୍ଧ ମୂର୍ତ୍ତି କାରିଗର ମୁମ୍ବାଇରେ ଛତ୍ରପତି ଶିବାଜୀଙ୍କ ୨୧୨ ମିଟର ଉଚ୍‌ଚ ବିଶାଳ ପ୍ରତିମା ନିର୍ମାଣ କରିଥିଲେ । ଏହାସହିତ ବାବା ସାହେବ ଆମ୍ବେଦରକଙ୍କ ୧୩୭ ମିଟର ପ୍ରତିମୂର୍ତ୍ତି, କର୍ଣ୍ଣାଟକରେ ୪୬.୬ ମିଟର ଉଚ୍ଚ଼ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ତିଆରି କରିଥିଲେ । ରାମ ଭି ସୁତାର ଜଣାଇଛନ୍ତି ଯେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୨୫୧ ମିଟର ରହିବ । ଯାହାକି ଷ୍ଟାଚ୍ୟୁ ଅଫ୍‌ ୟୁନିଟ ଠାରୁ ୬୯ ମିଟର ଅଧିକ ଉଚ୍ଚ । ଏହି କାର୍ଯ୍ୟରେ ପାଖାପାଖି ୨ ହଜାର କାରିଗର ନିୟୋଜିତ ହେବେ ।