ଗୁପ୍ତଚର ବେଲୁନ ନୁହେଁ ଗବେଷଣାଭୁକ୍ତ ବିମାନଟି ଆକସ୍ମିକ ଆମେରିକା ଆକାଶକୁ ଉଡ଼ିଯାଇଛି: ଚୀନ

ବାଣିଜ୍ୟ ବିବାଦ ସହିତ ଦକ୍ଷିଣ ଚୀନ ସାଗର ଓ ତାଇୱାନ ପ୍ରସଙ୍ଗ ଆଲୋଚନା ପରିସରକୁ ଆସିପାରେ….

ନୂଆଦିଲ୍ଲୀ: ଆମେରିକା ଆକାଶରେ ଚୀନ୍‌ ବେଲୁନ ଉଡୁଥିବାର ଦେଖି ବାଇଡେନ୍‌ ପ୍ରଶାସନ ଉଦବେଗ ପ୍ରକାଶ କରିବାରୁ ବେଜିଂ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । ଆମେରିକା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଚୀନ ଏପରି ହରକତ କରିଛି ବୋଲି ହ୍ୱାଇଟ୍‌ ହାଉସ୍‌ ଅଭିଯୋଗ କରିଥିଲା ।

ବେଜିଂ ଅନିଚ୍ଛାକୃତ ତ୍ରୁଟିକୁ ସ୍ୱୀକାର କରି କହିଛି, ଆମେରିକା ଆକାଶକୁ ଆକସ୍ମିକ ଭାବେ ଉଡ଼ି ଯାଇଥିବା ବସ୍ତୁଟି ଗୁପ୍ତଚର ବେଲୁନ ନୁହେଁ ଗବେଷଣା ଉଦ୍ଦେଶ୍ୟରେ ବ୍ୟବହୃତ କ୍ଷୁଦ୍ର ବିମାନଟିଏ । ବେଲୁନଟି ଏକ ସମ୍ବେଦନଶୀଳ ଇଲାକାରେ ଉଡୁଥିବାରୁ ପେଂଟାଗନ୍‌ ତାକୁ ଗୁଳି କରି ଖସାଇବାକୁ ଅନିଚ୍ଛା ପ୍ରକାଶ କରିଥିଲା ।

ଆମେରିକା ସ୍ୱରାଷ୍ଟ୍ର ସଚିବ ଆଂଟୋନୀ ବ୍ଲିଙ୍କନ୍‌ ପ୍ରଥମ ଥର ପାଇଁ ବେଜିଂ ଗସ୍ତରେ ଯିବା ସଂପର୍କୀତ ଏକ ଖବର ଆନ୍ତର୍ଜାତିକ ମହଲକୁ ଖେଳିଯିବା ପରେ ଆମେରିକା ଆକାଶରେ ଚୀନ ବେଲୁନ ଉଡ଼ିବୁଲିବା କେବେ ଆକସ୍ମିକ ହୋଇ ନପାରେ ବୋଲି ବାଇଡେନ୍‌ ପ୍ରଶାସନ ବିଚାର କରୁଛି ।

ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ମାଓ ନିଙ୍ଗ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ ତାଙ୍କ ନିକଟରେ ସେଭଳି କୌଣସି ସୂଚନା ନାହିଁ । ଆନ୍ତର୍ଜାତିକ ବଜାରରେ ଆମେରିକା-ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦର ଆଶୁ ସମାଧାନ ପାଇଁ ବାଇଡେନଙ୍କ ବିଶ୍ୱାସଯୋଗ୍ୟ ଅଧିକାରୀ ବ୍ଲିଙ୍କେନ୍‌ ବେଜିଂ ଯାଇପାରନ୍ତି । ବାଣିଜ୍ୟ ବିବାଦ ସହିତ ଦକ୍ଷିଣ ଚୀନ ସାଗର ଓ ତାଇୱାନ ପ୍ରସଙ୍ଗ ଆଲୋଚନା ପରିସରକୁ ଆସିପାରେ ।