ମଠ ନୁହେଁ ଯୌନଶୋଷଣ କେନ୍ଦ୍ର: ଜେଲରେ ମହନ୍ତ ଶିବମୂର୍ତି

ପଟ୍ଟଶିଷ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳାଙ୍କ ଅଭିଯୋଗ ପରେ ଚରମ ପଦକ୍ଷେପ

ବେଙ୍ଗାଲୁରୁ: ଆଉ ନାହିଁ ମଠର ପବିତ୍ର ବାତାବରଣ । ଦିନ ଥିଲା; ସୁବାସିତ ଧୂପ ଓ ଝୁଣା ଗୁଗୁଳ ମହକରେ ଭକ୍ତଙ୍କ ମନକୁ ଟାଣି ନେଉଥିଲା ମଠ ଓ ମନ୍ଦିର । ମାତ୍ର କିଛି ଚରିତ୍ରହୀନ ତଥାକଥିତ ମହନ୍ତ ଓ ମଠାଧୀଶଙ୍କ ଯୌନପିପାସା ପ୍ରଭାବରେ ମଠର ପବିତ୍ରତା କ୍ଷୁର୍ଣ୍ଣ ହେଉଛି । ସେମାନଙ୍କ ବିଶୃଙ୍ଖଳିତ ଆଚରଣରେ ଅତିଷ୍ଠ ହୋଇ ସ୍ୱୟଂ ଦେବାଦେବୀ ମଠରୁ ଅନ୍ୟତ୍ର ପଳାୟନ କରୁଛନ୍ତି । ସାଧାରଣ ଲୋକଙ୍କ ମନରେ ମଠ ସଂସ୍କୃତି ପ୍ରତି ଆଉ ଶ୍ରଦ୍ଧା କି ଭକ୍ତି ରହୁନାହିଁ । କର୍ଣ୍ଣାଟକର ବେଲଗାମ ମଠକୁ ଯୌନ ବ୍ୟଭିଚାର କେନ୍ଦ୍ର କରିଛନ୍ତି ମଠାଧୀଶ ଶିବମୂର୍ତି ।

ଦୁଇଜଣ ନାବାଳିକାଙ୍କ ସହିତ ଦୀର୍ଘ ତିନିବର୍ଷ ଧରି ଯୌନ ସଂପର୍କ ରକ୍ଷା କରିଆସୁଥିଲେ ଅଭିଯୁକ୍ତ ମଠାଧୀଶ । ଘଟଣାଟି ପ୍ରଘଟ ହେବାରୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏବେ ଅଭିଯୁକ୍ତ ଶିବମୂର୍ତି ଜେଲରେ ଅଛନ୍ତି । ଜେଲକୁ ଯିବାର ଦୁଇଦିନ ପରେ ଅର୍ଥାତ୍‌ ଆଜି (ସୋମବାର) ସକାଳେ ମଠର ଗୋଟିଏ କକ୍ଷରୁ ମଠାଧୀଶ ଶିବମୂର୍ତିଙ୍କ ପଟ୍ଟଶିଷ୍ୟ ବାସବ ସିଦ୍ଧଲିଙ୍ଗ ସ୍ୱାମୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି । ମାତ୍ର ସୁଇସାଇଡ୍‌ ନୋଟ୍‌ରେ କ’ଣ ଲେଖାଯାଇଛି; ତାହା କେବଳ ପୁଲିସକୁ ମାଲୁମ ।
ଶୁଣାଯାଏ, ଲିଙ୍ଗାୟତ ମଠରେ ଯୌନଶୋଷଣ ସଂପର୍କୀତ ଗୋଟିଏ ଅଡିଓରେ ସିଦ୍ଧଲିଙ୍ଗ ସ୍ୱାମୀଙ୍କର ନାମ ଥିବାରୁ ସେ ବ୍ୟସ୍ତ ଓ ବିବ୍ରତବୋଧ କରୁଥିଲେ । ଉକ୍ତ ଅଡିଓରେ ଦୁଇଜଣ ମହିଳା କର୍ଣ୍ଣାଟକ ମଠରେ ଚାଲିଥିବା ଯୌନ ବ୍ୟଭିଚାର ସଂପର୍କରେ କହୁଥିଲା ବେଳେ ବାସବ ସିଦ୍ଧଲିଙ୍ଗଙ୍କ ନାମ ଉଲ୍ଲେଖ କରିଥିଲେ ।

ପୁଲିସ ଶନିବାର ଶିବମୂର୍ତିଙ୍କ ଡାକ୍ତରୀ ଯାଂଚ କରିଥିଲା । ମହୀଶୂରସ୍ଥିତ ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଷ୍ଟାନ୍‌ଲୀ ଘଟଣାର ସିବିଆଇ ଅଥବା କୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ଦାବି କରିଛି । କିଛି ପ୍ରଶାସନିକ ଅଧିକାରୀ ଅଭିଯୁକ୍ତ ଶିବମୂର୍ତିଙ୍କୁ ବଂଚାଇବାକୁ ଉଦ୍ୟମ କରୁଥିବା କହିଛନ୍ତି ଷ୍ଟାନଲୀ । ମଠ ପରିଚାଳନାଧୀନ ସ୍କୁଲ ହଷ୍ଟେଲରୁ ଝିଅଙ୍କ ନିଖୋଜ ଘଟଣା ଗଣମାଧ୍ୟମକୁ ମଣ୍ଡନ କରିସାରିଛି । ମଠରେ ଯୌନଶୋଷଣର ଶିକାର ହୋଇଥିବା କିଛି ଝିଅ ପୁଲିସ ଆଗରେ କହିଛନ୍ତି । କିଛି ପୀଡ଼ିତାଙ୍କୁ ଟଙ୍କା ଦିଆଯାଇ ମୁହଁ ବନ୍ଦ ରଖିବାକୁ କୁହାଯାଉଛି । ଏପରିକି ବଦନାମକୁ ଭୟ କରି କିଛି ଅଭିଭାବକ ସେମାନଙ୍କ ଝିଅକୁ ଅନ୍ୟତ୍ର ବିବାହ କରି ଦେଇଛନ୍ତି । ଏପରି କ୍ଷେତ୍ରରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଦରକାର ବୋଲି ସ୍ୱେଚ୍ଛାସେବୀ ସଂସ୍ଥା ଯୁକ୍ତି କରିଛି ।
ଗୁରୁବାର ରାତିରେ ଅଭିଯୁକ୍ତ ଶିବମୂର୍ତିଙ୍କୁ ଗିରଫ କରାଯାଇଥିଲା । ମାତ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ପୁଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲା । ଅନ୍ୟପଟେ ଜିଲ୍ଲା ଦୌରାଜଜ କୋମଲା ଅଭିଯୁକ୍ତଙ୍କୁ ହସ୍ପିଟାଲରୁ ସିଧା କୋର୍ଟକୁ ନେବାକୁ ଆଦେଶ ଦେଇଥିଲେ । ଫଳରେ ପୁଲିସ ଅଭିଯୁକ୍ତ ଶିବମୂର୍ତିଙ୍କୁ ଚଳନ୍ତା ଚେୟାରରେ ବସାଇ କୋର୍ଟରେ ହାଜର କରିଥିଲା ।