ନାବାଳକ ଉପରେ ମାଡ଼ିଗଲା ଟିଏମ୍‌ସି ସାଂସଦଙ୍କ କାର

କୋଲକାତା: ପଶ୍ଚିମବଙ୍ଗର ଟିଏମ୍‌ସି ସାଂସଦଙ୍କ କାର ଧକ୍କାରେ ଜଣେ ଚାରିବର୍ଷର ପିଲା ପ୍ରାଣ ହରାଇଛି । କାର ଭିତରେ ମୁର୍ଶିଦାବାଦ ସାଂସଦ ଅବୁ ତାହିର ଖାନ୍‌ ଥିଲାବେଳେ ଦୁର୍ଘଟଣା ଘଟିଥିଲା । ଡାକ୍ତରମାନେ ଚିକିତ୍ସା କରୁଥିବା ସମୟରେ ପିଲାଟି ମରିଗଲା । ଏହି ଘଟଣାରେ ମର୍ମାହତ ସାଂସଦ ତାହିର ଖାନ କହିଛନ୍ତି ଯେ ପିଲାଟି ଅଚାନକ ଗାଡ଼ି ଆଗକୁ ଚାଲି ଆସିଥିଲା । ଚାଳକ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ିଟିକୁ ଅଟକାଇ ପାରିଲେନି । ସାଂସଦଙ୍କ କାର ବେଗ ଘଂଟା ପ୍ରତି ୭୦-୮୦ କିମି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ମୃତ ପିଲାଟି ତା’ ବାପା-ମା’ଙ୍କର ଏକମାତ୍ର ସନ୍ତାନ ଥିଲା ।
ମୁର୍ଶିଦାବାଦର ନୌଦା ଥାନା ଅନ୍ତର୍ଗତ ପିପରାକାଖାଲି ଅଂଚଳରେ ପ୍ରାୟ ସାଢେ଼ ଦୁଇଟା ସମୟରେ ଦୁର୍ଘଟଣା ଘଟିଥିଲା । ପିଲାଟିକୁ ମୁର୍ଶିଦାବାଦ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା ।

ମୃତ ପିଲାଟିର ନାମ ହାସିମ ସରକାର । ସାଂସଦ କହିଛନ୍ତି, ପିଲାଟିକୁ ଏକୁଟିଆ ଛାଡ଼ି ଦେଇ ତା’ର ମା’ କୁଆଡେ଼ ଚାଲି ଯାଇଥିଲେ । ଛୋଟ ପିଲାଟି ରାସ୍ତା ଅତିକ୍ରମ କରୁଥିଲା ବେଳେ ହଠାତ୍‌ ଗାଡ଼ି ହାବୁଡ଼ରେ ପଡ଼ିଗଲା । ଦୁର୍ଘଟଣା ପରେ ଘଟଣାସ୍ଥଳକୁ ପ୍ରାୟ ୫୦-୬୦ ଲୋକ ଧାଇଁ ଆସିଲେ । ମାତ୍ର ପିଲାଟିର ମା’ ଘଟଣାସ୍ଥଳରେ ଅନୁପସ୍ଥିତ ଥିଲେ । ମୁଁ ପିଲାଟିକୁ ଉଠାଇ ନେଇ ହସ୍ପିଟାଲରେ ପହଂଚାଇଲି । ଡାକ୍ତର ଓ ନର୍ସମାନେ ପିଲାଟିର ଚିକିତ୍ସା କରୁଥିଲେ । ପୁଲିସ ଗାଡ଼ିଟିକୁ ଜବତ କରି ଚାଳକକୁ ଗିରଫ କରିଛି ।