ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ଅବନୀ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ସୋମବାର ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଦେଶ ପାଇଁ ଏହି ପଦକ ଜିତିଛନ୍ତି ଶୁଟର ଅବନୀ ଲେଖରା। ୧୦ ମିଟର ଏୟାର ରାଇଫଲ୍‌ରେ ସେ ହାସଲ କରିଛନ୍ତି ଏହି ଐତିହାସିକ ସଫଳତା। ଏହା ସହିତ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବନୀ ବନି ଯାଇଛନ୍ତି ପ୍ରଥମ ଭାରତୀୟ ମହିଳା। ସେହିପରି ମୋଟାମୋଟି ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ଚତୁର୍ଥ ଭାରତୀୟ। ସବୁଠୁ ବଡ଼ କଥା ହେଉଛି ଅବନୀ ଆଜି ବିଶ୍ୱ ରେକର୍ଡର ସମକକ୍ଷ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ମୋଟ ୨୪୯.୬ ପଏଣ୍ଟ ସ୍କୋର କରିଥିଲେ। ୨୦୧୮ ଡିସେମ୍ବରରେ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ୟୁକ୍ରେନ୍‌ର ଇରୟନା ସ୍ୟୁତ୍‌ନିକ୍‌।