ଉପରେ ନାହିଁ ନାହିଁ ଭିତରେ କନକନ

ନିର୍ବାଚନ ଫଳାଫଳ ଦେଖି ଗୋଟି ଚଲାଇବେ ନୀତୀଶ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁଯୋଗ ପାଇଲେ ପ୍ରଧାନମନ୍ତ୍ରୀ ହେବାକୁ ପଛାଇବେ ନାହିଁ । ଆଜି ନୂଆଦିଲ୍ଲୀରେ ପହଂଚିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ଦେଇ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପଦକୁ ଉପେକ୍ଷା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଅସଲ ଉଦ୍ଦେଶ୍ୟ ହେଉଛି ବିଜେପିକୁ କ୍ଷମତାଚ୍ୟୁତ କରିବା । ତେଣୁ ବିଭିନ୍ନ ଦଳର ମୁଖିଆଙ୍କ ସହିତ ଖୋଲା ଆଲୋଚନା କରିବା ପରେ ସେ ଜାତୀୟ ସ୍ତରରେ କିଛି ଗୋଟାଏ ବଡ଼ ପଦକ୍ଷେପ ଗ୍ରହଣ କରିବେ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ନୀତୀଶ ଆଗ୍ରହ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପଦ ପାଇଁ ଆପଣ ଆଗ୍ରହୀ କି?’ ପ୍ରଶ୍ନର ଜବାବରେ ନୀତୀଶ ‘ନା କେବେ ନୁହେଁ’ କହିଥିଲେ । ମାତ୍ର ‘ମେଂଟ ପକ୍ଷରୁ ଚାପ ପଡ଼ିଲେ ପ୍ରଧାନମନ୍ତ୍ରୀ ହେବେ କି ନାହିଁ’ ପ୍ରଶ୍ନର ଉତରରେ ସେ ନିରବ ରହିଥିଲେ । ଅର୍ଥାତ୍‌ ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି ନୀତୀଶ ତାଙ୍କର ଗୋଟି ଚଲାଇବେ ।