ଛାତ୍ରଙ୍କ ଉପରେ ଗାଡ଼ି ମଡାଇ ଗିରଫ ହେଲେ ଅଭିନେତ୍ରୀ

ଜୁଲାଇ ୨୫ ତାରିଖ ଦିନ ଜଣେ ୨୧ ବର୍ଷୀୟ ପଲିଟେକ୍‌ନିକ୍ ଛାତ୍ରଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଅଭିଯୋଗରେ ପୁଲିସ ଆସାମ ଅଭିନେତ୍ରୀ ନନ୍ଦିନୀ କାଶ୍ୟପଙ୍କୁ ଗିରଫ କରିଛି । ଗୁଆହାଟୀ ମୁନିସିପାଲ କର୍ପୋରେସନ୍‌ରେ ପାର୍ଟ ଟାଇମ୍ କାମ କରୁଥିବା ଛାତ୍ରଜଣକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଛାତ୍ରଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ । ଅଭିନେତ୍ରୀଙ୍କ ଗିରଫଦାରି ଦାବି କରିଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ଅଭିନେତ୍ରୀ ନନ୍ଦିନୀଙ୍କୁ ତାଙ୍କ ଘରୁ ଉଠାଇ ଆଣି ଦିଶପୁର ଥାନାରେ ରଖିଥିଲା । ପରେ ତାଙ୍କୁ ମହିଳା ଥାନାକୁ ନିଆ ଯାଇଥିଲା ।

ସୂଚନା ମୁତାବକ ଜୁଲାଇ ୨୫ ତାରିଖ ଦିନ ସନ୍ଧ୍ୟା ସମୟରେ ଗୁଆହାଟୀର ଦକ୍ଷିଣଗାଁ ଅଂଚଳରେ ଅଭିନେତ୍ରୀଙ୍କ ଗାଡ଼ିଟି ଦ୍ରୁତବେଗରେ ରାସ୍ତା ଉପରେ ଯାଉଥିବା ସମୟରେ ନଲବାରୀ ପଲିଟେକ୍‌ନିକ୍ କଲେଜର ଛାତ୍ର ସାମିଉଲ ହକ୍‌ଙ୍କ ଉପରେ ଚଢ଼ି ଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଥିଲା ।