ନୂଆଦିଲ୍ଲୀ : ୨୦୦ କୋଟିର ମନି ଲଣ୍ଡ୍ରିଙ୍ଗ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ନିୟମିତ ଜାମିନ ଆବେଦନର ରାୟ ପ୍ରକାଶ ପାଇବ ନଭେମ୍ବର ୧୧ ତାରିଖରେ । ଗୁରୁବାର ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟରେ ଉକ୍ତ ମାମଲାର ବିଚାର ଚାଲିଥିଲା । ଜ୍ୟାକଲିନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଇଡି ନିକଟରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ରହିଛି ଜଣାଇ ଜ୍ୟାକଲିନଙ୍କୁ ନିୟମିତ ଜାମିନ ମଞ୍ଜୁର ଉଚିତ ହେବନି ବୋଲି ବଳିଷ୍ଠ ଯୁକ୍ତି କରିଥିଲେ ଇଡି ପକ୍ଷଭୁକ୍ତ ଓକିଲ ।
ତହୁଁ କୋର୍ଟ ଇଡିଠାରୁ ଜାଣିବାକୁ ଚାହିଁଥିଲେ ଯେ ଜ୍ୟାକଲିନଙ୍କ ବିପକ୍ଷରେ ବହୁତ ପ୍ରମାଣ ମହଜୁଦ ଥିବା ସତ୍ୱେ ତାଙ୍କୁ ଗିରଫ କରାଯାଇନି କାହିଁକି? ମାମଲାର ବିଚାର ଚାଲିଥିବା ବେଳେ ଜ୍ୟାକଲିନଙ୍କ ପାଖରେ ଠିଆ ହୋଇଥିଲେ ପିଙ୍କି ଇରାନୀ । ୟେ ସେହି ପିଙ୍କି ଇରାନୀ ଯେ ମହାଠକ ସୁକେଶଙ୍କଠାରୁ ଟଙ୍କା ନେଇ ଜ୍ୟାକଲିନଙ୍କୁ ଦେଇଥିଲେ । ଜ୍ୟାକଲିନ ମଧ୍ୟ ଇଡି ବିରୋଧରେ କୋର୍ଟଙ୍କ ନିକଟରେ ଅଭିଯୋଗ କରି କହିଥିଲେ ଯେ ସେ ନିଜେ ଇଡିଙ୍କ ନିକଟରେ ହାଜର ହୋଇ ତଦନ୍ତ କାମରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ।
ମାତ୍ର ଇଡି ତାଙ୍କୁ ମାନସିକ ନିର୍ଯାତନା ଦେଇଚାଲିଛି । କ୍ୟାରିୟର ଦୃଷ୍ଟିରୁ ତାଙ୍କୁ ଅନେକ ବାର ବିଦେଶ ଯିବାକୁ ପଡୁଛି । ଇଡି ତାଙ୍କର ବିଦେଶ ଗସ୍ତ ଉପରେ କଟକଣା ଲଗାଇଛନ୍ତି । ଏପରିକି ଘରଲୋକଙ୍କୁ ଭେଟିବା ପାଇଁ ତାଙ୍କୁ ଅନୁମତି ଦିଆଯାଉନି । ଜ୍ୟାକଲିନ୍ ପୁଣି କହିଥିଲେ ଯେ ସେ ଇଡିଙ୍କ ନିକଟକୁ ସବୁ ତଥ୍ୟ ଇ-ମେଲ କରିଥିଲେ । କିନ୍ତୁ ଇଡି ପକ୍ଷରୁ ତାଙ୍କୁ କୌଣସି ଜବାବ ଦିଆଯାଉନି । ବରଂ ସେ ଦେଶ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବାର ଅଭିଯୋଗ କରାଯାଇଛି । ଇଡିର ସବୁ ଅଭିଯୋଗ ମନଗଢ଼ା ।
ଇଡିଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଜ୍ୟାକଲିନ୍ ଜଣେ ବିଦେଶୀ ନାଗରିକ । ତାଙ୍କ ପରିବାର ଶ୍ରୀଲଙ୍କାରେ ରହୁଛନ୍ତି । ୨୦୨୧ରେ ଜ୍ୟାକଲିନ୍ ବିଦେଶ ପଳାଇବାକୁ ଉଦ୍ୟମ କରିଥିଲେ । ୨୨ ଅକ୍ଟୋବରରେ ପାଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ଅନ୍ତରିଣ ଜାମିନ ମଂଜୁର କରିଥିଲେ । ଇଡି ଜ୍ୟାକଲିନଙ୍କ ଅନ୍ତରିଣ ଜାମିନକୁ ତୀବ୍ର ବିରୋଧ କରିଥିଲା । ଇଡି ଯୁକ୍ତି କରିଥିଲା ଯେ ଜ୍ୟାକଲିନ୍ କେବେ ତଦନ୍ତରେ ସହଯୋଗ କରୁନାହାନ୍ତି । କେବଳ ଲୁକ୍ ଆଉଟ୍ ଜାରି କାରଣରୁ ତାଙ୍କର ବିଦେଶ ପଳାଇବା ଉଦ୍ୟମ ଧୂଳିସାତ୍ ହୋଇଯାଇଛି ।