ନୂଆଦିଲ୍ଲୀ: ଲଣ୍ଡନକୁ ବିମାନ ଭଡ଼ା ୨୫ ହଜାର, ବେଙ୍ଗାଲୁରୁକୁ ପଡ଼ୁଛି ୭୦ ହଜାର ଟଙ୍କା । ଆପଣ ଥାଇଲାଣ୍ଡ, ଭିଏତ୍ନାମା, ସିଙ୍ଗାପୁର କି ଆଉ କେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି । ବିମାନରେ ଆପଣ କମ୍ ଖର୍ଚ୍ଚରେ ବିଦେଶ ଯାଇପାରିବେ କିନ୍ତୁ ଦେଶ ଭିତରେ ଆପଣ ବିମାନରେ ଗୋଟେ ସହରରୁ ଆଉ ଏକ ସହରକୁ ଶସ୍ତାରେ ଯାଇ ପାରିବେନି । ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡ଼ା ଯେତିକି ସେତିକିରେ ଲଣ୍ଡନକୁ ଥରେ ଯାଇ ଆସି ହେବ ।
ଦେଶ ଭିତରେ ମହଙ୍ଗା ମାଡର ଶିକାର ହେବ । ଇଣ୍ଡିଗୋ କ୍ରାଇସିସ୍ ପରେ ଦେଶରେ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି । ହଠାତ୍ ବିମାନ ଟିକେଟ୍ ଦର ବଢିଛି । ହୁ ହୁ ହୋଇ ବଢୁଥିବା ବିମାନ ଟିକଟ ଦର ଭିତରେ ସବୁଠାରୁ ଚକିତ କରିଦେବା ଭଳି ଘଟଣାଟି ହେଉଛି ଆକାଶ ପଥରେ ବିଦେଶ ଯାତ୍ରାର ଭଡାଠାରୁ ଦେଶ ଭିତର ଭଡା ମହଙ୍ଗା ହୋଇଛି । ଦିଲ୍ଲୀରୁ ଦୁବାଇ ଯାତ୍ରା ପାଇଁ ଭଡା ୨୩ ହଜାର ଏବଂ ବେଙ୍ଗାଲୁରୁରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୧୮ ହଜାର ଥିବାବେଳେ ଦେଶର ପ୍ରମୁଖ ସହରରୁ ଅନ୍ୟ ସହରକୁ ଯାତ୍ରା ପାଇଁ ବିମାନ ଦର ୧୦ ଗୁଣା ବୃଦ୍ଧି ପାଇଛି । ଏହି ଘଟଣାକୁ ନିନ୍ଦା କରି ସୋସିଆଲ ମିଡିଆରେ ଯାତ୍ରୀ ଲେଖୁଛନ୍ତି ଏତେ ଟଙ୍କାରେ ଆପଣ ବେଙ୍ଗାଲୁରୁ କଣ ପାଇଁ ଟୋକିଓ ବୁଲି ପଳେଇଆସିବେ । ଗୋଟେ ପଟେ ଇଣ୍ଡିଗୋ ସଙ୍କଟ ଏବଂ ଅନ୍ୟ ପଟେ ଟିକେଟର ଚଢା ଦର । ହଠାତ୍ ବଢିଗଲା ଆକାଶ ପଥ ଭଡ଼ା । ଦୁଇ ଗୁଣା କି ୩ ଗୁଣା ନୁହେଁ ବରଂ ଏକାଥରେ ୧୦ ଗୁଣା ବଢିଲା ଟିକେଟ ଦର । ସିଧାସଳଖ ଯାତ୍ରୀଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି । ଆଉ ଯାତ୍ରୀଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି ।