ନୂଆଦିଲ୍ଲୀ: ସଂଖ୍ୟାଗରିଷ୍ଠ ଆସନ ହାସଲ କରି କ୍ଷମତାକୁ ଯାଇଥିବା ରାଜନୈତିକ ଦଳକୁ ହଟାଇବାର ଦକ୍ଷତା ରଖିଥିବା ଭଳି ନେତାଙ୍କୁ ଦଳର ସଭାପତି ଆସନରେ ବସାଇବାକୁ ଚିନ୍ତା କରୁଛି ‘ଆମ ଜନତା ଦଳ(ଏଜେଡି)’ । ଦଳର ସଭାପତି ଆସନରେ କାହାକୁ ବସାଯିବ ପ୍ରଶ୍ନର ଜବାବରେ ଆବାହକ ସୀତାରାମ ବେହେରା ସାକ୍ସୀ ନ୍ୟୁଜକୁ ଏହା କହିଛନ୍ତି । ସେ ପୁଣି କହିଛନ୍ତି; ‘ଆମ ଜନତା ଦଳ (ଏଜେଡି)’ ଦଳଡିଅାଁ ନେତାଙ୍କୁ କେବେ ଦଳର ନେତୃତ୍ୱ ପାଇଁ ସୁଯୋଗ ଦିଆଯିବନି । ବରଂ ଦଳଡିଅାଁ ନେତାମାନଙ୍କୁ ‘ଏଜେଡି’ର କଠୋର ନିୟମ ମାନି ଚଳିବାକୁ ପଡ଼ିବ ।
ଏତିକି ବେଳୁ ଯେଉଁମାନେ ‘ଏଜେଡି’ରେ ଯୋଗଦେବେ । ସେମାନଙ୍କ ଭିତରୁ ଯୋଗ୍ୟ ବ୍ୟକ୍ତିଙ୍କୁ ବଛାଯାଇ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ କରାଯିବ । ନିର୍ବାଚନ ତାରିଖ ଘୋଷଣା ପରେ ଯେଉଁମାନେ ‘ଏଜେଡି’କୁ ଆସିବେ; ସେମାନେ ଯେତେବଡ଼ ଶକ୍ତିଶାଳୀ ନେତା ହୋଇଥାନ୍ତୁ ନା କାହିଁକି, ସେମାନଙ୍କୁ କୌଣସି ପରିସ୍ଥିତିରେ ବିଧାନସଭା ଓ ଲୋକସଭା ଆସନରେ ଲଢ଼ିବା ପାଇଁ ଦଳୀୟ ଟିକେଟ୍ ଦିଆଯିବନି ।
ଆମେ ଏମିତି ଜଣେ ନେତାଙ୍କୁ ଖୋଜୁଛୁ ଯେ ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମ୍ନା କରିବାର ସତ୍ସାହସ ରଖିଥିବ । ଜାତୀୟ ସ୍ତରରେ କଂଗ୍ରେସକୁ ତଳିତଳାନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୋଟି ଚଳାଇ ସାରିଛନ୍ତି । ରାଜ୍ୟ କଂଗ୍ରେସକୁ ନବୀନବାବୁ ପକେଟରେ ପୁରାଇ ସାରିଛନ୍ତି ।
ରାଜ୍ୟ ବିଜେପିରେ ସେଭଳି କୌଣସି ଚେହେରା ନାହାନ୍ତି ଯେ ନବୀନବାବୁଙ୍କ ସହିତ ଲଢ଼ିପାରିବ । ବଂଚିଥିବା ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ନବୀନବାବୁ କେନ୍ଦ୍ର ବିଜେପି ସହିତ ସାଲିସ କରିସାରିଛନ୍ତି । ୧୨୦ ଆସନ ଦଖଲ କରିବାର ହୁଙ୍କାର ଛାଡ଼ି ଅମିତ ଶାହା ଓ ନରେନ୍ଦ୍ର ମୋଦୀ ଓଡ଼ିଶାର ବିଜେଡି ମୁଖିଆ ନବୀନବାବୁଙ୍କଠାରୁ ହାରି ସାରିଛନ୍ତି । ପୁନର୍ବାର ପରାଜୟ ବରଣ କରି ରାଜ୍ୟବାସୀଙ୍କୁ ମୁହଁ ଦେଖାଇବାର ସାହସ ହରାଇ ସାରିଛନ୍ତି ଅମିତ ଶାହା ଓ ନରେନ୍ଦ୍ର ମୋଦୀ । ପଂଚାୟତ ନିର୍ବାଚନରେ ଅଧିକ ହାର ଭୋଟ ପାଇଛୁ କହି ରାଜ୍ୟ ବିଜେପି କୌଣସି ମତେ ମନକୁ ବୁଝାଇଥିଲା । ମାତ୍ର ନିଗମ ନିର୍ବାଚନରେ ବିଜେପିର ଭୋଟ ହାର ଶୋଚନୀୟ ଭାବେ କମିଯାଇଛି । ଏ ପରିସ୍ଥିତିରେ ‘ଏଜେଡି’ ହିଁ ‘ବିଜେଡି’ର ବିକଳ୍ପ ଭାବେ ଉଭା ହେବ ।