ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ ପୱାରଙ୍କ ମୃତ୍ୟୁ ବିମାନ ଦୁର୍ଘଟଣା କାରଣରୁ ନୁହେଁ; ପରିବାର ସଦସ୍ୟମାନେ ଏବେ ଷଡ଼ଯନ୍ତ୍ରର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଅଜିତ ପୱାରଙ୍କ ପୁତୁରା ତଥା ଏନ୍ସିପି ଶରଦ ପାୱାର ଗୋଷ୍ଠୀ ବିଧାୟକ ରୋହିତ ପୱାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁର୍ଘଟଣାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କହିଛନ୍ତି। ସେ ମୁଖ୍ୟ ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁରଙ୍କ ଭୂମିକାକୁ ବିଶେଷ ସନ୍ଦେହଜନକ କହିଛନ୍ତି। ଜାନୁଆରି ୨୮ ତାରିଖରେ, ବାରାମତି ବିମାନବନ୍ଦର ନିକଟରେ ଲିଅରଜେଟ୍-୪୫ ବିମାନ ଦୁର୍ଘଟଣାରେ ଅଜିତ ପୱାରଙ୍କ ସମେତ ପାଂଚଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପାଇଲଟ୍ ସୁମିତ କପୁର, କୋ-ପାଇଲଟ୍ ଶାମ୍ଭବୀ ପାଠକ, ପିଏସ୍ଓ ବିଦୀପ ଜାଧବ ଓ ବିମାନ ପରିଚାରିକା ପିଙ୍କି ମାଲି ଥିଲେ।
ପ୍ରାରମ୍ଭିକ ତଦନ୍ତରେ ଖରାପ ପାଗ ଓ ଅବତରଣ ତ୍ରୁଟିକୁ ଏହି ଦୁର୍ଘଟଣା ପାଇଁ ଦାୟୀ କରାଯାଇଥିଲା। କିନ୍ତୁ ରୋହିତ ପୱାର ମଙ୍ଗଳବାର ଦିନ ମୁମ୍ବାଇରେ ଓ ବୁଧବାର ଦିନ ଦିଲ୍ଲୀରେ ପୁଣି ଥରେ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଭାବପ୍ରବଣ ହୋଇ ପୱାର କହିଛନ୍ତି, ମୋର କାକା ଅଜିତ ପୱାରଙ୍କ ବିମାନ ଦୁର୍ଘଟଣା ବିଷୟରେ ଲୋକଙ୍କର ସନ୍ଦେହ ଅଛି। ମୋର ମଧ୍ୟ ସନ୍ଦେହ ଅଛି। ମୁଁ ମୋର ସୂତ୍ର ମାଧ୍ୟମରେ ସୂଚନା ସଂଗ୍ରହ କରିବାରେ ୧୩ ଦିନ ବିତାଇଛି। ଆମେ ଏହି ପ୍ରସଙ୍ଗ ବିଷୟରେ ବହୁତ ଭାବପ୍ରବଣ। ଆମେ ଜଣେ ପରିବାର ସଦସ୍ୟଙ୍କୁ ହରାଇଛୁ।
ସେ ଜୋର୍ ଦେଇ କହିଛନ୍ତି, ମୋର ପ୍ରମୁଖ ଆପତି ମୁଖ୍ୟ ପାଇଲଟ୍ କପୁରଙ୍କ ପ୍ରତି ରହିଛି। ରୋହିତ ଦାବି କରିଛନ୍ତି ଯେ, ପାଇଲଟ୍ଙ୍କ ଅତୀତ ସନ୍ଦେହଜନକ। ପୂର୍ବରୁ ମଦ୍ୟପାନ ପାଇଁ ତାଙ୍କୁ ତିନି ବର୍ଷ ପାଇଁ ନିଲମ୍ବନ କରାଯାଇଥିଲା। ହ୍ୱାଟ୍ସଆପ୍ ଚାଟ୍ ଓ ମେସେଜ୍ ଉଦ୍ଧୃତ କରି ସେ ପଚାରିଛନ୍ତି, ଉଡ଼ାଣ ପୂର୍ବରୁ ବ୍ରେଥ୍ ଆନାଲାଇଜର ପରୀକ୍ଷା କରାଯାଇଥିଲା କି? ହଂକଂରୁ ଫେରିବା ପରେ କପୁର ମଦ୍ୟପାନ କରିଥିଲେ କି? ରୋହିତ ପୱାର ବିମାନ ପରିଚାଳକ ଭିଏସ୍ଆର୍ କମ୍ପାନି ବିରୋଧରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି, କମ୍ପାନିର ବିମାନ ବେଆଇନ ଭାବେ ପଛଭାଗରେ ଅତିରିକ୍ତ ଇନ୍ଧନ ସଂରକ୍ଷଣ କରିଥିଲା। ସେମାନଙ୍କର ରକ୍ଷଣାବେକ୍ଷଣରେ ଅବହେଳା ଥିଲା।
ରୋହିତ କହିଛନ୍ତି ଯେ ଭିଏସ୍ଆର୍ ସୁରକ୍ଷା ମାନଦଣ୍ଡ ପାଳନ କରୁ ନଥିବା ସୂଚନା ଆମକୁ ମିଳିଛି। ସେ କ୍ଲିୟରାନ୍ସ ଇଞ୍ଜିନିୟର, ଗୁଣବତା ଇଞ୍ଜିନିୟର ଓ ରକ୍ଷଣାବେକ୍ଷଣ ଇଞ୍ଜିନିୟରଙ୍କୁ ଅଟକ ରଖି ପଚରାଉଚରା କରିବାକୁ ଦାବି କରିଛନ୍ତି।
ଶେଷ ମୁହୂର୍ତରେ ପାଇଲଟ୍ ପରିବର୍ତନ କରିବା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ପାଇଲଟ୍ ସାହିଲ ମଦନ ଓ କୋ-ପାଇଲଟ୍ ଯଶଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଶେଷ ମୁହୂର୍ତରେ ସୁମିତ କପୁର ଓ ଶାମ୍ଭବୀ ପାଠକଙ୍କୁ ବଦଳାଯାଇଥିଲା। ରୋହିତ ପଚାରିଛନ୍ତି, ଟ୍ରାଫିକ୍ ଭିଡ଼ ଯୋଗୁ ପ୍ରଥମ ପାଇଲଟ୍ କାହିଁକି ପହଂଚି ପାରିଲେ ନାହିଁ। କିନ୍ତୁ କପୁର କିପରି ପହଂଚିଗଲେ।
ସେ ଶେଷ ମୁହୂର୍ତରେ ଟ୍ରାନ୍ସପଣ୍ଡର୍ ବନ୍ଦ ହୋଇଯିବା, ଭଏସ୍ ରେକର୍ଡିଂର ଅଭାବ ଓ ଅନ୍ୟାନ୍ୟ ଯାନ୍ତ୍ରିକ ତ୍ରୁଟି ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟସ୍ତରୀୟ ତଦନ୍ତ ଉପରେ ରୋହିତଙ୍କର ବିଶ୍ୱାସ ନଥିବାରୁ ତଦନ୍ତ ଦାୟିତ୍ୱ ଏକ କେନ୍ଦ୍ରୀୟ ଏଜେନ୍ସି ତଥା ଦୁଇଟି ଅନ୍ତର୍ଜାତୀୟ ଏଜେନ୍ସି ଯେପରିକି ୟୁକେର ଏଏଆଇବି କିମ୍ବା ଫ୍ରାନ୍ସର ବିଇଏ ଉପରେ ନ୍ୟସ୍ତ କରିବାକୁ ଦାବି କରିଛନ୍ତି।ଅବଶେଷରେ ରୋହିତ ଅଜିତଙ୍କ ମୃତ୍ୟୁକୁ ଶତପ୍ରତିଶତ ଷଡ଼ଯନ୍ତ୍ର ଦାବି କରିଛନ୍ତି। ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପୱାର ପ୍ରଥମେ ଏହାକୁ ଦୁର୍ଘଟଣା କହିଥିଲେ।
କିନ୍ତୁ ରୋହିତଙ୍କ ଅଭିଯୋଗ ପାରିବାରିକ ମତଭେଦକୁ ପଦାରେ ପକାଇଛି।