‘କରୋନା କାଳରେ ପିଲାଙ୍କଠାରୁ ଆଦାୟ କରିଥିବା ଫି’ର ୧୫% ଫେରାଇବେ ସବୁ ଘରୋଇ ଶିକ୍ଷାନୁଷ୍ଠାନ’

ଉକ୍ତ ରାୟର ଲିଖିତ ନକଲ ଆଜି ପ୍ରକାଶ ପାଇଛି….

ନୂଆଦିଲ୍ଲୀ : କରୋନା ମହାମାରୀ ମାତିଥିବା ସମୟରେ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଜରିଆରେ ପାଠ ପଢ଼ାଇବା ଛଡ଼ା ଅନ୍ୟ କୌଣସି ସେବା ପ୍ରଦାନ କରି ନଥିଲା ଘରୋଇ ଶିକ୍ଷାନୁଷ୍ଠାନ । କିନ୍ତୁ ଅନ୍ୟ ବର୍ଷ ଭଳି କରୋନା ସମୟରେ ଛାତ୍ରଛାତ୍ରୀଙ୍କଠାରୁ ଯଥାରୀତି ମୁତାବକ ଫି’ ଆଦାୟ କରିଥିଲେ ସବୁ ଘରୋଇ ଶିକ୍ଷାନୁଷ୍ଠାନ । ଶିକ୍ଷାନୁଷ୍ଠାନଗୁଡ଼ିକର ଏଭଳି ଶୋଷଣନୀତିକୁ ଚାଲେଞ୍ଜ କରିଥିଲେ ଅଭିଭାବକ ଗୋଷ୍ଠୀ ।

ମାମଲାର ବିଚାର କରି ଆଲାହାବାଦ ହାଇକୋର୍ଟ ଅଭିଭାବକଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କରୋନା ମହାମାରୀ ସମୟରେ (୨୦୨୦-୨୧ ଓ ୨୦୨୧-୨୨) ପୁରା ଫି’ ଗ୍ରହଣ କରିଥିବା ସବୁ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ୧୫% ଫେରାଇବାକୁ ବାଧ୍ୟ । ଆଲାହାବାଦ ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ରାଜେଶ ବିନ୍ଦଲ ଓ ଜଷ୍ଟିସ୍‌ ଜେଜେ ମୁନିରଙ୍କ ଖଣ୍ଡପୀଠ ଏହି ଆଦେଶ ପ୍ରଦାନ କରିଛନ୍ତି ।

ପିଲାମାନଙ୍କ ମା-ବାପାଙ୍କ ଆବେଦନର ପ୍ରତିଟି ଦିଗକୁ ସୂକ୍ଷ୍ମତାର ସହିତ ବିଚାର କରି ହାଇକୋର୍ଟ ଜାନୁଆରୀ ୬ ତାରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ । ଉକ୍ତ ରାୟର ଲିଖିତ ନକଲ ଆଜି ପ୍ରକାଶ ପାଇଛି । ହାଇକୋର୍ଟ ଏହି ମାମଲାର ବିଚାର କରିବା ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବରେ ତର୍ଜମା କରିଥିଲେ । ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଘରୋଇ ସ୍କୁଲଗୁଡ଼ିକ ଟ୍ୟୁସନ୍‌କୁ ବାଦ ଦେଲେ ଛାତ୍ରଛାତ୍ରୀଙ୍କୁ ଅନ୍ୟ କୌଣସି ସେବା ଉପଲବ୍ଧ କରିନାହାନ୍ତି ।

ତେଣୁ ଟ୍ୟୁସନ୍‌ ଫି’କୁ ବାଦ ଦେଇ ଅନ୍ୟ ସମସ୍ତ ଦେୟ ଫେରାଇ ଦିଆଯିବା ଯୁକ୍ତିସଙ୍ଗତ । ଟ୍ୟୁସନ୍‌ ଫି’କୁ ବାଦ ଦେଇ ଟଙ୍କାଟିଏ ନେବା ଘରୋଇ ଶିକ୍ଷାନୁଷ୍ଠାନର ଲାଭଖୋର ଓ ଶିକ୍ଷା ବ୍ୟବସାୟୀକରଣ ମନୋଭାବକୁ ବୁଝାଇବ । ଏହି ପରିପ୍ରେକ୍ଷୀରେ ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କର ଏକ ରାୟକୁ ଦଲିଲ ଭାବେ ବ୍ୟବହାର କରିଥିଲେ । ଜୋଧପୁରସ୍ଥିତ ଇଣ୍ଡିଆନ୍‌ ସ୍କୁଲ ଓ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ରାୟରେ ଅଭିଭାବକଙ୍କଠାରୁ ଆଦାୟ କରିଥିବା ଫି’ର ୧୫% ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅତଏବ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସବୁ ରାଜ୍ୟରେ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନଠାରୁ ଅଭିଭାବକମାନେ କରୋନା ସମୟରେ ସ୍କୁଲରେ ଦାଖଲ କରିଥିବା ଦେୟରୁ ୧୫% ଫେରିପାଇବେ । କୌଣସି ଘରୋଇ ସ୍କୁଲ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ନକଲେ, ଆଇନାନୁସାରେ ଦଣ୍ଡିତ ହେବେ ।