କୃଷିଆଇନ ପ୍ରତ୍ୟାହାରକୁ ନେଇ ଅମରିନ୍ଦର ସିଂ ବଡ ବୟାନ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି । ଏଇ ଘୋଷଣା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସନ୍ତୋଷ ପ୍ରକାଶ କରିଛନ୍ତି । କ୍ୟାପଟେନ କହିଛନ୍ତି ଯେ, ଗୁରୁ ନାନକଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା ଗୁରୁତ୍ୱ ଆହୁରି ବଢିଯାଇଛି । ଗଣମାଧ୍ୟମକୁ ସେ କହିଛନ୍ତି, ମୋଦୀ କୃଷକଙ୍କ ନିକଟରେ କ୍ଷମା ମାଗିବା ବେଶ ମହତ୍ତ୍ୱ ବହନ କରୁଛି । କାରଣ ଦେଶର ଜଣେ ବଡ଼ ନେତା ଏପରି କ୍ଷମା ମାଗିବା ପୂର୍ବରୁ କେବେ ଦେଖାଯାଇନଥିଲା । ଏହା ତାଙ୍କର ବିନମ୍ରତାକୁ ଦର୍ଶାଉଛି । ଏଥିରେ କୌଣସି ଅହଂକାର ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସକାରାତ୍ମକ ସଂକେତ ଦେଇଥିବାରୁ କୃଷକମାନେ ଦିଲ୍ଲୀ ସୀମାରୁ ତୁରନ୍ତ ନିଜର ଆନ୍ଦୋଳନ ସମାପ୍ତ କରିବା ସହ ଫେରିଯିବାକୁ ସେ କହିଛନ୍ତି । ପ୍ରତ୍ୟାହୃତ ହୋଇଥିବା କୃଷକ ଆଇନଗୁଡ଼ିକ କୃଷକଙ୍କ ସମସ୍ୟାର ସମାଧାନ କରୁନଥିଲା ବୋଲି ସେ କହିଛନ୍ତି । ଏଣୁ ଏଗୁଡ଼ିକର ପ୍ରତ୍ୟାହାର କରି ସରକାର ଉଚିତ ପଦକ୍ଷେପ ନେଇଛନ୍ତି ।