ମହିଳାଙ୍କ କଥା ସବୁବେଳେ ଭାବୁଥିଲେ ଆମ୍ବେଦକର
ତାଙ୍କର ପ୍ରତିଟି ଭାଷଣରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ପ୍ରମୁଖ ଥିଲା….
ପାଣାଜୀ: ‘ସମାଜର ମୁଖ୍ୟସ୍ରୋତରେ ମହିଳାଙ୍କୁ ସାମିଲ କରିବାର ମୂଳଦୁଆ ପକାଇଥିଲେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର । ଆଜକୁ ଆଠ ଦଶନ୍ଧି ତଳେ ଆମ୍ବେଦକର ଯେଉଁ ଚିନ୍ତାଧାରାକୁ ପାଥେୟ କରି ଭାରତର ଗଣତନ୍ତ୍ରକୁ ସାମ୍ବିଧାନିକ ମର୍ଯ୍ୟାଦା ଦେଇଥିଲେ । ଆଜି ସବୁ ରାଜନୈତିକ ଦଳ ତାଙ୍କରି ଆଦର୍ଶକୁ ମୁକ୍ତ କଣ୍ଠରେ ଆଦରି ନେଇଛନ୍ତି । ସୁଦୂର ପ୍ରସାରୀ ଭାରତର ମାନସିକତାକୁ ନିର୍ଭୁଲ ଭାବେ ପଢ଼ିବାର ଯୋଗ୍ୟତା କେବଳ ଆମ୍ବେଦକରଙ୍କ ପାଖରେ ଥିଲା ।’
ଗୋଆ ରାଜଧାନୀ ପାଣାଜୀରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ରାଜନେତା ଶଶି ଥରୁର କହିଛନ୍ତି, ‘୧୯୨୦, ୧୯୩୦, ୧୯୪୦ ଦଶନ୍ଧିରେ ଆମ୍ବେଦକର ଯୋଉ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ । ମହିଳାମାନଙ୍କୁ ଆଗରେ ବସାଇବା ପାଇଁ ଆୟୋଜକଙ୍କୁ ଖୋଲା ପରାମର୍ଶ ଦେଉଥିଲେ । ତାଙ୍କର ପ୍ରତିଟି ଭାଷଣରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ପ୍ରମୁଖ ଥିଲା ।
ଆଜି ତାଙ୍କରି ଚିନ୍ତାଧାରା ସବୁଠି ଦେଖିବାକୁ ମିଳୁଛି । ଯୋଉ ସଭାକୁ ଯିବ ପ୍ରଥମ ଧାଡ଼ିରେ ମହିଳାଙ୍କ ଦର୍ଶନ ମିଳିବ । ଆଜିର ସମାଜ ଆମ୍ବେଦକରଙ୍କ ପନ୍ଥାକୁ ଆଦରି ନେଇଛି । ଆଜି ଯୋଉ ରାଜନେତା ମହିଳାଙ୍କ ସ୍ୱାଧୀନତା ଓ ଅଧିକାର ବିଷୟରେ ଅଧିକ କଥା କହୁଛି, ତାଙ୍କୁ ପ୍ରଗତିବାଦୀ ପୁରୁଷ ରାଜନେତାଙ୍କ ଭିତରେ ଗଣାଯାଉଛି ।’ କଂଗ୍ରେସ ନେତା ଶଶି ଥରୁର ତାଙ୍କର ଲିଖିତ ‘ଆମ୍ବେଦକର: ଏ ଲାଇଫ୍’ ପୁସ୍ତକରେ ମହିଳାଙ୍କ ପ୍ରତି ଆମ୍ବେଦକରଙ୍କ ମନରେ ଥିବା ଗୁଢ଼ ତଥ୍ୟ ଅବତାରଣା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଶଶି କହିଛନ୍ତି, ଆମ୍ବେଦକର ଝିଅମାନଙ୍କର ତୁରନ୍ତ ବିବାହ ଓ ତୁରନ୍ତ ସନ୍ତାନ ଜନ୍ମକୁ ଘୋର ବିରୋଧ କରୁଥିଲେ । ପୁଅଙ୍କ ଭଳି ଝିଅମାନେ ଉଚ୍ଚଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବାପରେ ବିବାହ ଓ ପରିବାର ଦେଖାଶୁଣା କରନ୍ତୁ ବୋଲି ଆମ୍ବେଦକର ସବୁବେଳେ ଯୁକ୍ତି କରୁଥିଲେ । ପୁରୁଷ ପ୍ରାଧାନ୍ୟ ସମାଜକୁ ଆମ୍ବେଦକର ତୀବ୍ର ସମାଲୋଚନା କରୁଥିଲେ ।
ପରିବାର ଭିତରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ସମାନ ଗୁରୁତ୍ୱ ଦିଆଯିବା ଦରକାର । କେବଳ ସାମାଜିକ କ୍ଷେତ୍ରରେ ନୁହେଁ, ରାଜନୈତିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ଆଗକୁ ଆଣିବା କଥା ପ୍ରଥମେ ଆମ୍ବେଦକର କହିଥିଲେ । ଆମ୍ବେଦକର ସବୁବେଳେ ମହିଳାଙ୍କ କଥା ଭାବୁଥିଲେ । ସେ କହୁଥିଲେ ଜଣେ ମହିଳା ଉଚ୍ଚଶିକ୍ଷିତ ହେଲେ ଗୋଟିଏ ସମାଜ ନୂଆ ଜୀବନ ପାଇବ ।