୧୯୫୦ରେ ଚୀନ ମାଡ଼ରେ ପଳାୟନ କରିଥିଲା ଆମେରିକା

ଚୀନର ଶାସକ ମାଓ ସେ ତୁଙ୍ଗ ଆମେରିକାକୁ ଜବାବ ଦେବା ପାଇଁ ୟାଲୁ ନଦୀକୂଳ…

ବେଜିଂ: ଆଜି ତାଇୱାନକୁ କେନ୍ଦ୍ର କରି ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଏହା ପୂର୍ବରୁ ଆମେରିକା-ଚୀନ୍‌ ମୁହାଁମୁହିଁ ଲଢ଼ି ସାରିଛନ୍ତି । ଉକ୍ତ ଲଢେ଼ଇରେ ଆମେରିକା ମଇଦାନ ଛାଡ଼ି ପଳାଇଥିଲା । ୧୯୫୦ ଅକ୍ଟୋବରରେ ଆମେରିକା ବାୟୁସେନାର ବି-୨୯ ଓ ବି-୫୧ ବୋମାବର୍ଷୀ ବିମାନ ଉତ୍ତର କୋରିଆକୁ ଧ୍ୱଂସସ୍ତୁପରେ ପରିଣତ କରି ଦେଇଥାନ୍ତା । ଆମେରିକା ସେନା ଉତ୍ତର କୋରିଆ ସେନାକୁ ୟାଲୁ ନଦୀକୂଳ ପର୍ଯ୍ୟନ୍ତ ତଡ଼ି ନେଇଥିଲା । ସଂଯୋଗବଶତଃ ଚୀନ୍‌ ଓ ଉତ୍ତର କୋରିଆ ସୀମାକୁ ଲାଗି ୟାଲୁ ନଦୀଟି ବୋହିଯାଇଛି । ୟାଲୁ ନଦୀ କୂଳରେ ଆମେରିକା ସେନାକୁ ଦେଖି ଚୀନ ଭୀଷଣ ରାଗିଗଲା । ଚୀନର ଶାସକ ମାଓ ସେ ତୁଙ୍ଗ ଆମେରିକାକୁ ଜବାବ ଦେବା ପାଇଁ ୟାଲୁ ନଦୀକୂଳକୁ ଦୁଇଲକ୍ଷ ସୈନିକ ପଠାଇଲେ । ଯୁଦ୍ଧର ସ୍ଥିତି ବଦଳିଗଲା । ଚୀନସେନାକୁ ଠିକଣା ଜବାବ ଦେଇ ନପାରି ଆମେରିକା ସେନା ପଳାୟନ କରିଥିଲେ ।

ଟିକେ ପଛକୁ ଚାଲନ୍ତୁ । ୧୯୦୪ ପୂର୍ବରୁ କୋରିଆ କହିଲେ ଗୋଟିଏ ଟାପୁକୁ ବୁଝାଉଥିଲା । କୋରିଆକୁ ଦଖଲ କରିବା ପାଇଁ ଜାପାନ ଓ ଚୀନ ମଧ୍ୟରେ ୧୮୯୪-୯୫ ଓ ୧୯୦୪-୦୫ରେ ଲଢେ଼ଇ ହୋଇଥିଲା । ଉକ୍ତ ଲଢେ଼ଇରେ କୋରିଆକୁ ଜାପାନ ଦଖଲ କଲା ।
WORLD WAR
୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ହାରିଗଲା । ଯୁଦ୍ଧ ଶେଷ ହେବା କ୍ଷଣି ଦୁଇ ଶକ୍ତିଶାଳୀ ଦେଶ କୋରିଆକୁ ଦୁଇଭାଗ କରିଦେଲେ । କୋରିଆର ଉତ୍ତର ଭାଗକୁ ସୋଭିଏତ୍‌ ରୁଷ ଓ ଦକ୍ଷିଣ ଭାଗକୁ ଆମେରିକା ଶାସନ କଲା । ୧୯୪୮ରେ ଆମେରିକା ପରିଚାଳନାରେ ଦକ୍ଷିଣ କୋରିଆରେ ନିର୍ବାଚନ ଅନୁଷ୍ଠିତ ହେଲା । ମାତ୍ର ସୋଭିଏତ୍‌ ରୁଷ ଉତ୍ତର କୋରିଆରେ ନିର୍ବାଚନ କରିବାକୁ ରାଜି ହେଲାନି । ତେବେ ସେଠାକାର ଲୋକଙ୍କ ପ୍ରତିବାଦରୁ ବଂଚିବା ପାଇଁ ପିପୁଲ୍ସ ରିପବ୍ଲିକ୍‌ କୋରିଆ ନାମରେ କମୁନିଷ୍ଟ ଦଳ ଗଢ଼ି ଶାସନ କଲା ।

ଦୁଇଟି ଭିନ୍ନ ଚିନ୍ତାଧାରାରେ ଗଠିତ ସରକାର ପରସ୍ପରକୁ ଦବାଇ ରଖିବାକୁ ଚାହିଁଲେ । ଫଳରେ ୧୯୫୦ ଜୁନ ୨୫ରେ ଉତ୍ତର କୋରିଆ ଅଚାନକ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କଲା । ଦୁଇ କୋରିଆ ଲଢେ଼ଇକୁ କେନ୍ଦ୍ର କରି ବିଶ୍ୱର ସବୁ ମହାଶକ୍ତି ଦୁଇଭାଗରେ ବିଭାଜିତ ହୋଇଗଲେ । ଗୋଟିଏ ପଟେ ଚୀନ, ସୋଭିଏତ୍‌ ରୁଷ, ଉତ୍ତର କୋରିଆ ପ୍ରଭୃତି କମୁନିଷ୍ଟ ସରକାର ଥିଲେ । ଅନ୍ୟପକ୍ଷରେ ଆମେରିକା, ୟୁରୋପୀୟ ଦେଶସମୂହ ଓ ଦକ୍ଷିଣ କୋରିଆ ଥିଲେ । ତିନିବର୍ଷ ଧରି ଚାଲିଥିବା ଯୁଦ୍ଧରେ ନିରୀହ ନାଗରିକ ଓ ସେନାକୁ ମିଶାଇ ପ୍ରାୟ ୨୮ ଲକ୍ଷ ପ୍ରାଣ ହରାଇଥିଲେ ।