ଭାରତ ଉପରେ ୫୦% ଟିକସ ଲାଗୁ କଲା ଆମେରିକା

ରୁଷିଆ ନିକଟରୁ ଭାରତ ଅଧିକରୁ ଅଧିକ ପେଟ୍ରୋଲିୟମ କିଣିବାର ପରିଣାମ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରିଛି । ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଜିତାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ବହୁତ ପରିଶ୍ରମ କରିଛନ୍ତି । ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ଯୋଗଦାନ କରିଥିଲେ ।

ମୋଦିଜୀଙ୍କ ‘ଅବ୍ କି ବାର୍ ଟ୍ରମ୍ପ ସରକାର’ ଆହ୍ୱାନ ଟ୍ରମ୍ପଙ୍କୁ ଜିତାଇବାରେ ଯଥେଷ୍ଟ ସହାୟକ ହୋଇଥିଲା । ଟ୍ରମ୍ପଙ୍କୁ ମୋଦିଜୀ ଘନିଷ୍ଠ ବନ୍ଧୁ ଦୃଷ୍ଟିରେ ଦେଖି ଆସୁଥିଲେ । ମାତ୍ର ମୋଦିଜୀଙ୍କୁ ଟ୍ରମ୍ପ କେବେ ବନ୍ଧୁ ଭାବେ ଗ୍ରହଣ କରୁ ନଥିଲେ ।

ତା’ର ପ୍ରମାଣ ‘ଅପରେସନ୍ ସିନ୍ଦୁର’ ପରଠାରୁ ଭାରତ ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟରୁ ଦେଖିବାକୁ ମିଳୁଛି । ପ୍ରଥମେ ୨୫% ଟିକସ ଓ ପରେ ଅତିରିକ୍ତ ୨୫% ଟିକସ ବୋଝ ଲାଗୁ କରି ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକା ବଜାରରେ ଭାରତ ତିଆରି ସାମଗ୍ରୀର ଦରକୁ ଆକାଶଛୁଆଁ କରିଛନ୍ତି । ଏପରି ହେଲେ ଭାରତର ବୈଦେଶିକ ମୁଦ୍ରାକୋଷରେ ଡଲାର ପରିମାଣ କମିଯିବ ।

ଭାରତର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିବା ପାଇଁ ଉଭୟ ଚାଇନା ଓ ଆମେରିକା ଯଥାରୀତି ଉଦ୍ୟମ ଜାରି ରଖିଛନ୍ତି । ଦୁଇ ମହାଶକ୍ତିଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ଭାରତକୁ ସତର୍କତାର ସହିତ ଆଗକୁ ଆଗେଇବାକୁ ହେବ ।