ଭାରତଠାରୁ ଲଢୁଆ ‘ତେଜସ୍‌’ କିଣିବ ଆମେରିକା

‘ମିଗ୍‌-୨୯’ ଓ ‘ଜେଏଫ୍‌-୧୬’ଠାରୁ ଶକ୍ତିଶାଳୀ…

ନୂଆଦିଲ୍ଲୀ: ଭାରତଠାରୁ ତେଜସ୍‌ ଫାଇଟର୍‌ କିଣିବା ପାଇଁ ଆମେରିକା ଆଗ୍ରହ ପ୍ରକାଶ କରିଛି । ଆଧୁନିକ ଜ୍ଞାନକୌଶଳରେ ନିପୁଣ ‘ତେଜସ୍‌’ ରୁଷିଆ ନିର୍ମିତ ‘ମିଗ୍‌-୨୯’ ଓ ଚୀନ୍‌ ନିର୍ମିତ ‘ଜେଏଫ୍‌-୧୬’ ଫାଇଟର ତୁଳନାରେ ବେଶ ଶକ୍ତିଶାଳୀ । ଭାରତୀୟ ବାୟୁସେନାର ହାଲୁକା ଫାଇଟର୍‌ ‘ତେଜସ୍‌’ ପ୍ରତି ଆମେରିକା ମନ ବଳାଇବା ଦୁନିଆକୁ ଆଚମ୍ବିତ କରିଛି । କିଛି ନୂଆ କଥା ନୁହେଁ । ପ୍ରତିକୂଳ ପରିବେଶରେ ଶତ୍ରୁକୁ ପ୍ରତିହତ କରିବା ପାଇଁ ତେଜସ୍‌ ନିକଟରେ ଅସୀମ ଦକ୍ଷତା ରହିଛି । ତେଜସ୍‌ ମୂଳଦୁଆ ୧୯୮୩ରେ ପଡ଼ିଥିଲା । ସରକାରଙ୍କ ଅନୁମତି ମିଳିବା ମାତ୍ରେ ନିର୍ମାଣ ସଂସ୍ଥା ଦିନରାତି ଲାଗିପଡ଼ିଲେ । ତେଜସ୍‌ ନିର୍ମାଣ କରିବା ପଛରେ ଦୁଇଟି ଉଦ୍ଦେଶ୍ୟ ଥିଲା । ପ୍ରଥମଟି ରୁଷ ଫାଇଟର୍‌ ‘ମିଗ୍‌-୨୧’ର ବିକଳ୍ପ । ଦ୍ୱିତୀୟଟି ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ହାଲୁକା ଲଢୁଆ ନିର୍ମାଣ । ପ୍ରାୟ ୧୮ ବର୍ଷର ଅବିଶ୍ରାନ୍ତ ପରିଶ୍ରମର ଫଳସ୍ୱରୂପ ୨୦୦୧ ଜାନୁଆରୀରେ ଭାରତର ନିଜସ୍ୱ ଫାଇଟର୍‌ ଆକାଶରେ ଉଡ଼ିଲା । ୨୦୦୩ରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିମାନର ନାମକରଣ ‘ତେଜସ୍‌’ ରଖିଲେ । ସଂସ୍କୃତ ଶବ୍ଦ ‘ତେଜସ୍‌’ ଅର୍ଥ ‘ଚମକ’ ।

ତେଜସ୍‌’ର ବିଶେଷତ୍ୱ: ଚାରିଟି ଦିଗରୁ ‘ତେଜସ୍‌’ ବିଶ୍ୱର ଅନ୍ୟତମ ଲଢୁଆ ଜେଟ୍‌ ମାନ୍ୟତା ଲାଭ କରିଛି । ବିମାନରେ ବ୍ୟବହୃତ ଯନ୍ତ୍ରାଂଶରୁ ୫୦ ଭାଗ ଭାରତରେ ତିଆରି ହୋଇଛି । ଇସ୍ରାଏଲ୍‌ ପ୍ରସ୍ତୁତ ଶକ୍ତିଶାଳୀ ରାଡାର୍‌ ‘ଇଏଲ୍‌/ଏମ୍‌-୨୦୫୨’କୁ ଲଗାଇ ଦିଆଯିବା ଫଳରେ ଏକା ସମୟରେ ଦଶଟି ସ୍ଥାନକୁ ଲକ୍ଷ୍ୟଭେଦ କରିବାର ଦକ୍ଷତା ତେଜସ୍‌’ ନିକଟରେ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ବିମାନ ଉଡାଣ ଓ ଅବତରଣ ପାଇଁ ମାତ୍ର ୪୬୦ ମିଟର ଲମ୍ବ ବିଶିଷ୍ଟ ରନ୍‌ୱେ ଦରକାର ପଡ଼ିଥାଏ । ତେଜସ୍‌’ର ଓଜନ ମାତ୍ର ୬୫୦୦ କିଲୋ । ଆମେରିକା’ର ଆଗ୍ରହ ପରେ ଆହୁରି ୫ଟି ଦେଶ ଭାରତଠାରୁ ତେଜସ୍‌ କିଣିବାକୁ ରାଜି ହୋଇଛନ୍ତି ।

ତେଜସ୍‌’ ତିଆରି ପଛରେ ବହୁ କାରଣ ରହିଛି । ୧୯୬୫ ଯୁଦ୍ଧରେ ପାକିସ୍ତାନ ବାୟୁସେନା ଆକ୍ରମଣରେ ଭାରତର ୩୫ଟି ଫାଇଟର୍‌ ଧ୍ୱଂସ ପାଇଗଲେ । ତା’ ସହିତ ଭାରତର ଲଢୁଆ ବିମାନରେ ଜିପିଏସ୍‌ ରାଡାର ନଥିବାରୁ ସ୍କ୍ୱାଡ୍ରନ୍‌ ଲିଡର ୱିଲିୟମ ଗ୍ରୀନ୍‌ ଭାରତ ବଦଳରେ ପାକିସ୍ତାନରେ ଅବତରଣ କରିଥିଲେ । ଏସବୁ ବ୍ୟତିକ୍ରମ ପ୍ରତି ଦୃଷ୍ଟିପାତ କରିବା ପରେ ଭାରତ ନିଜେ ବିମାନ ତିଆରି କରିବାକୁ ମନ ବଳାଇଲା ।
ଦିନ ଥିଲା, ଭାରତ ବିଦେଶରୁ ବିମାନ କିଣୁଥିଲା । କିନ୍ତୁ ଆଜି ଭାରତ ବହୁ ଦେଶକୁ ବିମାନ ବିକିବାର ଦକ୍ଷତା ହାସଲ କରିଛି । ଆମେରିକା ପରେ ମାଲେସିଆ ଭାରତଠାରୁ ୧୮ଟି ତେଜସ୍‌ କିଣିବାକୁ ପ୍ରସ୍ତାବ ଦେଇଛି ।