ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ସ୍ଥଗିତ ରହିଛି । ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରଠାରେ ଏହି ଅଭିଯାନ ପାଇଁ ଉଦ୍ଦିଷ୍ଟ ରକେଟ୍ ସ୍ପେଶ ଲଞ୍ଚିଂ ସିଷ୍ଟମର ଇଞ୍ଜିନରେ ତ୍ରୁଟି ଦେଖାଯିବା ପରେ ଏହାର ଉତକ୍ଷେପଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି । ଏହି ତ୍ରୁଟିକୁ ସଜଡ଼ାଯିବା ପରେ ପୁଣି ଥରେ ଉତକ୍ଷେପଣ କରାଯିବ ।
ସୂଚନା ଅନୁସାରେ ରକେଟର ତଳଭାଗରେ ଥିବା ଇଂଜିନରେ ତ୍ରୁଟି ଯୋଗୁଁ ଇଂଜିନକୁ ଇନ୍ଧନ ପହଞ୍ଚିପାରିନଥିଲା । ଆର୍ଟେମିସ-୧ ନାମକ ଏହି ଅଭିଯାନ ମଧ୍ୟମରେ ଏସଏଲଏସ ରକେଟ୍ ଓରିଅନ ନାମକ କାପସୁଲକୁ ଚନ୍ଦ୍ରର କକ୍ଷପଥରେ ସ୍ଥାପିତ କରି ଫେରିଆସିବ । ଓରିଅନ ମହାକାଶ ଯାନ ଚନ୍ଦ୍ର ଚାରିପଟେ ୬ ସପ୍ତାହ ବୁଲିବା ପରେ ଶେଷରେ ପୃଥିବୀକୁ ଫେରିଆସିବ ଓ ପ୍ରଶାନ୍ତ ମହାସାଗରରେ ଓହ୍ଲାଇବ । ୧୯୭୨ ମସିହାରେ ଆମେରିକାର ଆପୋଲୋ-୧୭ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ମଣିଷକୁ ଓହ୍ଲାଇଥିଲା । ୫୦ ବର୍ଷ ପରେ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି ଆମେରିକା ।