ନୂଆଦିଲ୍ଲୀ : ତୁର୍କିୟେ ଓ ସିରିୟାରେ ଭୂକମ୍ପର କରାଳ ତାଣ୍ଡବ ଦେଖିବାକୁ ମିଳିଛି । ଉଭୟ ଦେଶରେ ମୃତକଙ୍କ ସଂଖ୍ୟା ୨୭ ହଜାର ପାଖାପାଖି ପହଂଚିଲାଣି । ଯୁଆଡେ଼ ଦେଖିବ ଖାଲି ଭଙ୍ଗାରୁଜା କୋଠାବାଡ଼ି । ଭୟାବହ ଭୂକମ୍ପରେ ତୁର୍କିୟେରେ ଜଣେ ଭାରତୀୟ ପ୍ରାଣ ହରାଇଥିବା ସେଠାରେ ଅବସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ନାମ ବିଜୟ କୁମାର । ସେ ଏକ ହୋଟେଲରେ ଅବସ୍ଥାନ କରୁଥିଲା ବେଳେ ଭୂକମ୍ପର ଶିକାର ହୋଇଥିଲେ ।
ହୋଟେଲ ଧ୍ୱଂସାବଶେଷ ତଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବିଜୟ କୁମାରଙ୍କ ମୃତଦେହ ଭାରତକୁ ପଠାଇବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସରକାରଙ୍କ ପକ୍ଷରୁ ବିପନ୍ନଙ୍କ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକମାନଙ୍କ ସୂଚନା ମୁତାବକ ଧ୍ୱଂସାବଶେଷ ତଳେ ଶହଶହ ମୃତଦେହ ଏବେମଧ୍ୟ ରହିଛି । ମୃତଦେହକୁ କବର ଦେବା ପାଇଁ ସ୍ଥାନାଭାବ ଦେଖାଦେଇଛି ବୋଲି ପ୍ରଶାସନ କହିଛି ।