ଉପବାସରେ ଆନ୍ନା ହାଜାରେ-shaksi news

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦିନିକିଆ ଉପବାସରେ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହାଜାରେ। ଆନ୍ନା ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଉପାସ ରହିଥିବା ବେଳେ ଆନ୍ଦୋଳନ ସମଗ୍ର ଦେଶରେ ବ୍ୟାପିବା ଉଚିତ। ତେବେ ଯାଇ ସରକାର ଚାଷୀଙ୍କ ସ୍ୱାର୍ଥରେ ଆଇନ୍ ତିଆରି କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାଓଁ ସିଦ୍ଧ ଗ୍ରାମରେ ଉପବାସ କରିଛନ୍ତି ଆନ୍ନା ହାଜାରେ। ସେ କହିଛନ୍ତି ଚାଷୀ ରାସ୍ତାରେ ବସିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏହା ହେଉଛି ପ୍ରକୃଷ୍ଠ ସମୟ। ପୂର୍ବରୁ ମଧ୍ୟ ଏହି କାରଣକୁ ସମର୍ଥନ କରିଥିଲି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି। ଏହାସହ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ କାର୍ଯ୍ୟକୁ ମଧ୍ୟ ଆନ୍ନା ହାଜାରେ ପ୍ରଶଂସା କରିଛନ୍ତି। ଗତ ୧୨ ଦିନ ମଧ୍ୟରେ କୌଣସି ହିଂସା ହୋଇନାହିଁ। ସେଥିପାଇଁ ସେ ଚାଷୀଙ୍କୁ ପ୍ରଶଂସା କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେବାକୁ ସେ ଆହ୍ୱାନ କରିଛନ୍ତି।

ସେହିପରି ଆନ୍ନା ହାଜାରେ କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ (CACP) କୁ ସ୍ୱାଧୀନତା ପ୍ରଦାନ କରିବା ଏବଂ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।