ନୂଆଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ପାଳନ ପାଇଁ ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶାବାସୀଙ୍କୁ ଆଜାଦି କା ଅମୃତ ମହୋତ୍ସବ ପାଠ ପଢ଼ାଇବାକୁ ଆସୁଛନ୍ତି । ଏଇଠି ପ୍ରଶ୍ନ ଉଠୁଛି, କାହାକୁ ନେଇ ଆଜାଦି କା’ ଅମୃତ ମହୋତ୍ସବ ପାଳନର ଆୟୋଜନ? ଦରଦାମ ବୃଦ୍ଧି ଓ ଜିଏସ୍ଟି ବୋଝରେ ନଇଁ ଯାଉଥିବା ୧୪୦ କୋଟି ଭାରତୀୟଙ୍କ ହାତରେ ତ୍ରିରଙ୍ଗା ଧରାଇଦେଲେ ସହିଦ ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ, ବଟୁକେଶ୍ୱର ଦତ୍ତ, ସୁଖବୀରଙ୍କ ଭଳି ମହାପୁରୁଷଙ୍କ ଆତ୍ମା ଶାନ୍ତି ପାଇଯିବ । ବାସ୍ତବରେ ଦେଖିଲେ, ଆଜାଦି କା ଅମୃତ ମହୋତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏକମାତ୍ର ଯୋଗ୍ୟ ବ୍ୟକ୍ତି । ତାଙ୍କ ହାତରେ ୧୪୦ କୋଟି ଲୋକଙ୍କ ପ୍ରାଣବାୟୁ ଅଛି । ସେ ଯେତେବେଳେ ଚାହିଁବେ, ଲକ୍ଷେ ଟଙ୍କାର ଚା’ ପିଇପାରିବେ । ତାଙ୍କୁ ହିସାବ ମାଗିବା ପାଇଁ ଆୟକର ବିଭାଗର ତାକତ୍ ନାହିଁ । ମୋଦୀ ଚାହିଁଲେ ବିମୁଦ୍ରାକରଣ ନାମରେ ବେଶ କିଛି ମାସ ଧରି ଲୋକଙ୍କୁ କନ୍ଦାଇଲେ । ସତ କହିଲେ, ଦେଶର ୧୪୦ କୋଟି ଲୋକ ସ୍ୱାଧୀନତା କହିଲେ ଖାଲି ତ୍ରିରଙ୍ଗାକୁ ବୁଝନ୍ତି । ତ୍ରିରଙ୍ଗାରେ ରହିଥିବା ତିନିଟା ରଙ୍ଗର ମହାନତା ଜାଣନ୍ତିନି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ତ୍ରିରଙ୍ଗା ଉଡ଼ିବା ଦରକାର କାରଣ ସେ ଯାହା ଚାହୁଁଛନ୍ତି କରିପାରୁଛନ୍ତି । ମାତ୍ର ୧୪୦ କୋଟି ଲୋକଙ୍କ ହାତରେ ଜୋରଜବରଦସ୍ତ ତ୍ରିରଙ୍ଗା ଧରାଇବାର ମାନେ କ’ଣ?
ଆଜି ଯେଉଁ ସଂସଦରେ ଦରଦାମ ବୃଦ୍ଧି ଓ ଜିଏସ୍ଟି ପ୍ରସଙ୍ଗକୁ କେନ୍ଦ୍ର କରି ଜୋରଦାର ବିତର୍କ ଚାଲିଛି । ଦିନେ ସେହି ସଂସଦରେ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତ ବୋମା ପକାଇ ତକ୍ରାଳୀନ ବ୍ରିଟିଶ ସରକାରଙ୍କ ଛାତି ଥରାଇ ଦେଇଥିଲେ । ତା’ ସହିତ କ୍ରାନ୍ତିକାରୀଙ୍କ ଦେଶପ୍ରେମର ମଶାଲ ଦେଶବାସୀଙ୍କ ମନରେ ଜଳାଇବାର ମୂଳଦୁଆ ପକାଇଥିଲେ । ୧୯୨୯ ମସିଆ ଏପ୍ରିଲ ମାସରେ ଅର୍ଥାତ୍ ଆଜକୁ ୯୩ ବର୍ଷ ତଳେ ସଂସଦରେ ‘ଟ୍ରେଡ୍ ଡିସ୍ପୁଟ୍ ବିଲ୍’ ଓ ‘ପବ୍ଲିକ୍ ସେଫ୍ଟି ବିଲ୍’ ଆଲୋଚନା ଚାଲିଥିଲା । ସେହି ଦୁଇଟି ବିଲକୁ ନେଇ କ୍ରାନ୍ତିକାରୀଙ୍କ ମନରେ ନିଅାଁ ଜଳୁଥିଲା । ଟ୍ରେଡ୍ ଡିସ୍ପୁଟ ବିଲ’ରେ ଶ୍ରମିକଙ୍କ ହରତାଳ ବା ବିକ୍ଷୋଭ ପ୍ରତି କଟକଣା ଜାରି କରାଯାଇଥିଲା । ପବ୍ଲିକ୍ ସେଫ୍ଟି ବିଲ’ ଜରିଆରେ ଅଦାଲତଙ୍କ ବିନା ନିର୍ଦ୍ଦେଶନାମାରେ ଆନ୍ଦୋଳନକାରୀଙ୍କୁ ଜେଲରେ ପୁରାଇ ଦିଆଯିବାର ବ୍ୟବସ୍ଥା ଥିଲା । ପୂର୍ବରୁ ଟ୍ରେଡ୍ ଡିସ୍ପୁଟ୍ ବିଲ ଗୃହୀତ ହୋଇସାରିଥିଲା । ଭଗତ ସିଂହଙ୍କ ଉପସ୍ଥିତିରେ ପବ୍ଲିକ୍ ସେଫ୍ଟୀ ବିଲ’ ଆଲୋଚନା ଚାଲିଥିଲା । ଭଗତ ସିଂହ ସଂସଦରେ ବୋମା ବିସ୍ଫୋରଣ କରି ଦିନ ମଜୁରିଆ, କୃଷକ, ଶ୍ରମିକ ଓ ଯୁବକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିବାକୁ ଚାହୁଁଥିଲେ ।
୧୯୨୯ ମସିହା ଏପ୍ରିଲ ୮ ତାରିଖ । ଭଗତ ସିଂହ ଖାକି ରଙ୍ଗର ସାର୍ଟ, ହାଫ୍ ପ୍ୟାଂଟ ଓ ସାର୍ଟ ଉପରେ କୋର୍ଟ ପିନ୍ଧିଥିଲେ । ମୁଣ୍ଡରେ ଥିଲା ଅଂଗ୍ରେଜୀ ଫେଲ୍ଟ ହ୍ୟାଟ୍ । ଲାହୋରସ୍ଥିତ ଗୋଟିଏ ଦୋକାନରୁ ଭଗତ ସିଂହ ହ୍ୟାଟ୍ଟିକୁ କିଣିଥିଲେ । ସବୁ କିଛି ଯୋଜନା ମୁତାବକ ଚାଲିଥିଲା । ବେଶ ଶାନ୍ତ ମନରେ ଦୁହେଁ ସଂସଦର ଉଭୟ ଗୃହରେ ଚାଲିଥିବା ଆଲୋଚନାକୁ ଶୁଣିବା ସହିତ ସୁଯୋଗ ଅପେକ୍ଷାରେ ଥିଲେ । ସମୟ ସାଢେ଼ ବାରଟା । କେନ୍ଦ୍ର ସଂସଦର ବାଚସ୍ପତି ବିଠଲ ଭାଇ ପଟେଲ ଦୁଇଟିଯାକ ବିଲ ଉପରେ ହୋଇଥିବା ମତଦାନର ପରିଣାମ ଜଣାଇବା ପାଇଁ ଠିଆ ହୋଇଥିଲେ । ଠିକ୍ ସେତିକି ବେଳେ ସଂସଦର ଖାଲି ସ୍ଥାନକୁ ଲକ୍ଷ୍ୟ କରି ଗୋଟିଏ ପରେ ଗୋଟିଏ କରି ଦୁଇଟି ବୋମା ପଡ଼ିଲା ଓ କାନ ଅତଡ଼ା ସୃଷ୍ଟି କରି ଫୁଟିଥିଲା । ଚାରିଆଡ଼ ହୁଲସ୍ତୁଲ ପଡ଼ିଗଲା । ‘ଇନ୍କିଲାବ୍ ଜିନ୍ଦାବାଦ । ସାମ୍ରାଜ୍ୟବାଦ ମୁର୍ଦ୍ଦାବାଦ’ ସ୍ଲୋଗାନରେ ସଂସଦ ଗୁଞ୍ଜରିତ ହେଲା । ତା’ ସହିତ ସଂସଦରେ ଦର୍ଶକଙ୍କ ଗ୍ୟାଲେରୀରୁ ଗୋଲାପୀ ରଙ୍ଗର ଲିଫ୍ଲେଟ୍ ପଡ଼ିବାକୁ ଲାଗିଲା ।
ଲିଫ୍ଲେଟ୍ରେ ଲେଖାଥିଲା, ‘କାଲ ସରକାରଙ୍କ ପାଇଁ ବିରାଟ ଶବ୍ଦ ନିହାତି ଦରକାର’ ।
ବୋମା ଫୁଟିବା ପରେ ସଂସଦରେ ଏପରି ପରିବେଶ ସୃଷ୍ଟି ହୋଇଥିଲା; ଭଗତ ସିଂହ ଓ ବଟୁକେଶ୍ୱର ଦତ୍ତ ଚାହିଁଥିଲେ, ଆରାମରେ ଖସି ପଳାଇଥାନ୍ତେ । କିନ୍ତୁ ପୁଲିସ ହାତରେ ଧରାପଡ଼ିବା ପାଇଁ ହିଁ ସେମାନଙ୍କୁ କୁହାଯାଇଥିଲା । ତେଣୁ ଦୁହେଁ ପୁଲିସ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଆସନ ନିକଟରେ ଠିଆ ହୋଇଥିଲେ । ଏ ସମ୍ପର୍କରେ ତକ୍ରାଳୀନ ଥାନା ଅଧିକାରୀ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଧମାକା ସମୟରେ ସଂସଦରେ ସାଇମନ୍ କମିଶନ ଅଧ୍ୟକ୍ଷ ସାର୍ ଜନ୍ ସାଇମନ୍, ମୋତିଲାଲ ନେହରୁ, ମହମ୍ମଦ ଅଲ୍ଲୀ ଜିନ୍ନା, ଆରଏମ୍ ଜୟକର ଓ ଏନ୍ସି କେଲକର ଉପସ୍ଥିତ ଥିଲେ । ଯେକୌଣସି ମତେ ବିଲ ଦୁଇଟିକୁ ପାସ୍ କରିବା ପାଇଁ ବ୍ରିଟିଶ ସରକାର ଚାହୁଁଥିଲେ ।
ସଂସଦରେ ରିପୋର୍ଟର ଭାବେ ଉପସ୍ଥିତ ଥିଲେ ଦୁର୍ଗାଦାସ । ଧମାକା ଖବରଟିକୁ ସାରା ଦୁନିଆକୁ ଜଣାଇବା ପାଇଁ ସେ ଏକମୁହାଁ ହୋଇ ପ୍ରେସ ରୁମ୍ ଆଡ଼କୁ ଦୌଡ଼ିଲେ । ମାତ୍ର ହଠାତ୍ ପୁଲିସ ସଂସଦର ମୁଖ୍ୟ ଦରଜା ବନ୍ଦ କରିଦେଲା । ତା’ ପର ଖବର ଆମ ସମସ୍ତଙ୍କୁ ଜଣା । ବିଦେଶୀ ଢାଂଚାରେ ତିଆରି ସମ୍ବିଧାନକୁ ଢାଲ କରି ଝିଂଟିକା ମାରି ବଣି ପୋଷା ଚାଲିଛି । ୧୪୦ କୋଟି ଲୋକଙ୍କ ହୃଦୟର ସ୍ପନ୍ଦନ ଶୁଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରବଣ ଶକ୍ତି ହରାଇଛନ୍ତି । ତେଣୁ ତାଙ୍କର ଶ୍ରବଣ ଶକ୍ତି ଫେରାଇ ଆଣିବା ପାଇଁ ଆଉ ଜଣେ ଭଗତ ସିଂହଙ୍କର ଆବଶ୍ୟକତା ଅଛି କହି କିଛି ଭୁଲ କରିଦେଇନି ତ!