ନୂଆଦିଲ୍ଲୀ : ମଙ୍ଗଳବାର ଫିଫା ବିଶ୍ୱକପ୍ ଅଭିଯାନରେ ଏକ ଅବିଶ୍ୱାସ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଫିଫା କପ୍ ଦାବିଦାର ଭାବେ ପରିଚିତ ଆର୍ଜେଂଟିନା ବିଶ୍ୱ ଫୁଟବଲ ତାଲିକାର ୪୯ ନମ୍ବରରେ ରହିଥିବା ସାଉଦି ଆରବ ଟିମ୍ଠାରୁ ୨-୧ ଗୋଲରେ ପରାଜିତ ହୋଇଛି । ଏଥିସହିତ ଗ୍ରୁପ-ସିରେ ଆର୍ଜେଂଟିନା ଦୟନୀୟ ସ୍ଥିତିରେ ପଡ଼ିଛି । ସାଉଦି ଆରବ ଦ୍ୱିତୀୟ ହାଫ୍ରେ ଲଢୁଆ ଖେଳ ଦେଖାଇଛି । ମ୍ୟାଚ୍ ଖେଳାଯିବାର ୪୮ ମିନିଟରେ ଅଲ-ଶାହରାନୀ ପ୍ରଥମ ଗୋଲଟି ଦେଲେ ।
ପରକ୍ଷଣରେ ସଲେମ ଅଲ-ଦାବସାରୀ ଦ୍ୱିତୀୟ ଗୋଲଟି ଦେଇଥିଲେ । ଆର୍ଜେଂଟିନା ଖେଳାଳି ଲିୟୋନେଲ ମେସି ଖେଳ ଆରମ୍ଭ ହେବାର ଦଶ ମିନିଟ୍ରେ ପ୍ରଥମ ପେନାଲଟି ଗୋଲ କରିଥିଲେ । ତା’ପରେ ଆର୍ଜେଂଟିନାର କୌଣସି ଖେଳାଳି ଗୋଲ କରିବାକୁ ସକ୍ଷମ ହେଲେନି । ପ୍ରଥମ ହାଫ୍ରେ ଆର୍ଜେଂଟିନା ଭଲ ଖେଳିଥିଲା । ମାତ୍ର ବହୁବାର ଅଫ୍ସାଇଡ୍ କରି ଦଳକୁ ବିପର୍ଯ୍ୟୟରେ ପକାଇଥିଲେ । ଆର୍ଜେଂଟିନା ସାତଥର ଅଫ୍ସାଇଡ୍ କରିଛି । ଆର୍ଜେଂଟିନା ଖେଳାଳି ଲୋଟାରୀ ମାର୍ଟିନେଜ୍ ଦ୍ୱିତୀୟ ଗୋଲ କରିଥିଲେ ମଧ୍ୟ ଅଫ୍ସାଇଡ୍ କାରଣରୁ ରେଫରି ତାକୁ ଗୋଲ ଭାବେ ଘୋଷଣା କଲେ ନାହିଁ । ମେସୀଙ୍କର ଗୋଟିଏ ଗୋଲ ମଧ୍ୟ ଅଫ୍ସାଇଡ୍ ହୋଇଥିଲା ।