ମୁମ୍ବାଇ: ୨୦୨୦ କଳା ବର୍ଷରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ବର୍ଷକୁ ଅଶୁଭ ବର୍ଷ ମାନାଯାଉଥିବା ବେଳେ ଆଜି ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ଓ୍ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ଓ୍ୱାଲଙ୍କ ଅକାଳ ବିୟୋଗ ହୋଇଛି । ୩୫ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।
ସୂଚନା ଅନୁଯାୟୀ , ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ । କିଡନୀ ସମସ୍ୟା କାରଣରୁ ଆଦିତ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ସମୟ ଧରି କିଡନୀ ରୋଗରେ ପୀଡିତ ଥିଲେ । ଆଦିତ୍ୟଙ୍କ ବିୟୋଗରେ ପୌଡ଼ୱାଲ ପରିବାର ଉପରେ ଦୁଃଖରେ ଭାଙ୍ଗିପଡିଛନ୍ତି ।
ଅନୁରାଧାଙ୍କ ଭଳି ଆଦିତ୍ୟ ମଧ୍ୟ ଭଜନ ଗାଉଥିଲେ । ଏହା ବ୍ୟତୀତ ଆଦିତ୍ୟ ମ୍ୟୁଜିକ କମ୍ପୋଜ ମଧ୍ୟ କରୁଥିଲେ । ତାଙ୍କ ନାମ ଭାରତର ସବୁଠାରୁ କମ ବୟସ୍କ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ‘ଲିମକା ବୁକ ଅଫ ରେକର୍ଡ଼ସ’ରେ ସାମିଲ ରହିଛି ।

କରୋନା ମହାମାରୀ ଯୋଗୁ ସମସ୍ୟା ପିଛା ଛାଡ଼ୁନଥିବା ବେଳେ ପ୍ରସିଦ୍ଧ ବଲିଉଡ ଅଭିନେତା ଋଷି କପୂର, ଇରଫାନ ଖାନ୍,ଚାଡ଼ଓ୍ୱିକ ବୋଷମ୍ୟାନ,ବିଜୟ ମହାନ୍ତି,ନିଶିକାନ୍ତ କାମତ,ସରୋଜ ଖାନ୍,ଓ୍ୱଜିଦ ଖାନ୍ ଏବଂ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ୨୦୨୦ ପାଇଁ ଏକ ଅପୂରଣୀୟ କ୍ଷତି ହୋଇରହିଯାଇଛି ।