୧୩-୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଅନୁରାଗ ଠାକୁର ଆହ୍ୱାନ

ସେ କହିଥିଲେ ଯେ, ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଉଛି….

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ୧୩ରୁ ୧୫ ଅଗଷ୍ଟ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି । ସେ କହିଥିଲେ ଯେ, ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆମର ଯୁବପିଢ଼ି ସେମାନଙ୍କର ନିଜ ନିଜ କ୍ଷେତ୍ରରେ ସମର୍ପଣ ଏବଂ କଠିନ ପରିଶ୍ରମ ବଳରେ ତ୍ରିରଙ୍ଗାର ସମ୍ମାନକୁ ବିଶ୍ୱର ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲାଗି ଶପଥ ନେବା ଉଚିତ । ଠାକୁର କହିଥିଲେ ଯେ ଆମ ଜାତୀୟ ପତାକା କେବଳ ଖଣ୍ଡେ କପଡ଼ା ନୁହେଁ ବରଂ ଏହି ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି ।

ଶିମଲା ଠାରେ ଆୟୋଜିତ ଏକ ଯୁବ ସମ୍ମିଳନୀରେ ଶ୍ରୀ ଠାକୁର ଉଦବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଯୁବକଯୁବତୀ ସେମାନଙ୍କର ନିଜ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର ଅନ୍ୟ ସ୍ଥାନ ଭ୍ରମଣ କରିବା ଉଚିତ । ଏହା ସେମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବ । ଏହା ଦ୍ୱାରା ସେମାନେ ଦାୟିତ୍ୱସମ୍ପନ୍ନ ନାଗରିକ ହୋଇପାରିବେ । ସେ ମଧ୍ୟ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତ ଜାଣିବାକୁ ଚାହିଁଥିଲେ ।