ମୁମ୍ବାଇ :୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ରିପବ୍ଲିକ୍ ମିଡିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ଅଲିବାଗର ଏକ ସ୍ଥାନୀୟ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଣ୍ଣବଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତେବେ ପୁଲିସ୍ ଅର୍ଣ୍ଣବଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ପୁଲିସର ଏହି ଅନୁରୋଧକୁ ଖାରଜ କରିଦେଇଥିଲେ। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା।
ଅନ୍ୟପକ୍ଷରେ ଜାମିନ ପାଇଁ ଅର୍ଣ୍ଣବଙ୍କ ଓକିଲ ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇପାରେ। ସେପଟେ ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ତାଙ୍କ ପତ୍ନୀ ଓ ଆଉ ଦୁଇ ଜଣଙ୍କ ନାଁରେ ମୁମ୍ବାଇ ପୁଲିସ ଆଉ ଏକ ମାମଲା ରୁଜୁ କରିଛି। ଅର୍ଣ୍ଣବଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏମାନେ ସମସ୍ତେ ମିଶି ବାଧାସୃଷ୍ଟି କରିଥିବା ଏତଲାରେ ଦର୍ଶାଯାଇଛି। ଗତକାଲି ମୁମ୍ବାଇ ଓ ରାୟଗଡ଼ ପୋଲିସର ମିଳିତ ଟିମ୍ ଅର୍ଣ୍ଣବଙ୍କ ମୁମ୍ବାଇ ଲୋୟର ପରେଲ ସ୍ଥିତ ଘରେ ପଶି ଜୋରଜବରଦସ୍ତ ତାଙ୍କୁ ଗିରଫ କରିଥିଲେ।