ଆମ ସମସ୍ତଙ୍କୁ ଗିରଫ କରନ୍ତୁ: କେଜ୍ରିୱାଲ
ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରେ ଏବେ ଉପ-ମୁଖ୍ୟମନ୍ତ୍ରୀଙ୍କ ପଡିବ ପାଳି । ମନୀଷ ସିସୋଦିଆଙ୍କୁ ମଧ୍ୟ ମିଛ କେସରେ….
ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରେ ଏବେ ଉପ-ମୁଖ୍ୟମନ୍ତ୍ରୀଙ୍କ ପଡିବ ପାଳି । ମନୀଷ ସିସୋଦିଆଙ୍କୁ ମଧ୍ୟ ମିଛ କେସରେ ଫସାଇବାକୁ ଚାଲିଛି ଷଡଯନ୍ତ୍ର । ତେଣୁ ଜଣ ଜଣ କରି ଗିରଫ କରିବା ବଦଳରେ ଏକା ସହ ଆମ ସମସ୍ତଙ୍କୁ ଗିରଫ କରିଦିଅନ୍ତୁ । କିଛି ଏଭଳି କହି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରେ ମନୀଷ ସିସୋଦିଆଙ୍କୁ ମଧ୍ୟ ମିଛ ମାମଲାରେ ଖୁବଶୀଘ୍ର କେନ୍ଦ୍ର ସରକାର ଗିରଫ କରିବେ ବୋଲି ସେ ଅଭିଯୋଗ କରିଛନ୍ତି ।
କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କେଜ୍ରିୱାଲ କହିଛନ୍ତି, ମିଥ୍ୟା ମାମଲାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିଯିବ ବୋଲି ଗତ କିଛି ମାସ ପୂର୍ବେ ମୁଁ କହିଥିଲି । ଖୁବଶୀଘ୍ର ସିସୋଦିଆଙ୍କୁ ଗିରଫ କରାଯିବ ବୋଲି ମୋତେ ସୂଚନା ମିଳିଛି ।
ତେଣୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି ଯେ, ଜଣ ଜଣ କରି ଗିରଫ କରିବା ଦ୍ୱାରା ଦିଲ୍ଲୀ ବିକାଶ କାର୍ଯ୍ୟ ପ୍ରଭାବିତ ହେଉଛି । ଏହାଠାରୁ ଭଲ, ଦିଲ୍ଲୀର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଏକାଠି ଗିରଫ କରାଯାଇ ତଦନ୍ତ କରାଯିବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି ।