ଉଡ଼ିଗଲା ବାଣ କାରଖାନା: ୮ ନିହତ, ୧୭ ଆହତ

ଅଗ୍ନିଶମ ବାହିନୀର ଡିଜିପି ଆଭାସ କୁମାର କହିଛନ୍ତି ଯେ….

କାଂଚୀପୁରମ: ତାମିଲନାଡୁର କାଂଚୀପୁରମରେ ଗୋଟିଏ ବାଣ କାରଖାନାରେ ନିଆଁ ଲାଗିଯିବାରୁ ଅନ୍ୟୁନ ୮ ଜଣଙ୍କର ପ୍ରାଣହାନି ଘଟିଛି । ୧୭ ଜଣ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି । ଦୁର୍ଘଟଣାର କାରଣ ଅଦ୍ୟାପି ଜଣାପଡ଼ିନି ।

କାଂଚୀପୁରମ ଜିଲ୍ଲାପାଳ ଏମ୍‌ ଆରତୀଙ୍କ ସୂଚନା ମୁତାବକ ବାଣ କାରଖାନାରେ ୨୫ ଜଣ କାମ କରୁଥିଲେ । ଅଗ୍ନିଶମ ବାହିନୀର ଡିଜିପି ଆଭାସ କୁମାର କହିଛନ୍ତି ଯେ ଦୁର୍ଘଟଣାରେ କାରଖାନା କୋଠାଟି ମାଟିସ୍ତୁପ ପାଲଟି ଯାଇଛି । ସପ୍ତାହକ ଭିତରେ ଏହା ଦ୍ୱିତୀୟ ଘଟଣା ।

ଏହା ପୂର୍ବରୁ ଧର୍ମପୁରୀରେ ଅବସ୍ଥିତ ଏକ ବାଣ କାରଖାନାରେ ନିଆଁ ଲାଗିଯିବା କାରଣରୁ ଦୁଇଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ଓ ଜଣେ ଗୁରୁତର ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଏକଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।