ଆଶ୍ରମରେ ନିଆଁ ଲଗାଇଦେଲେ, ମହନ୍ତଙ୍କୁ ହତ୍ୟା ଉଦ୍ୟମ

ହନୁମାନ ଗଡ଼ି ଗୋବିନ୍ଦଗଡ଼ ଆଶ୍ରମ ମହନ୍ତ …

ଲକ୍ଷ୍ନୌ: ହନୁମାନ ଗଡ଼ି ଗୋବିନ୍ଦଗଡ଼ ଆଶ୍ରମ ମହନ୍ତ ମହେଶ ଦାସଙ୍କୁ ଜିଅନ୍ତା ପୋଡ଼ି ମାରିବାକୁ ଉଦ୍ୟମ ମାମଲା ଏବେ ପୁଲିସ ତଦନ୍ତର ସମ୍ମୁଖୀନ ହୋଇଛି । ମହନ୍ତଙ୍କ ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ୪୫ ମିନିଟ୍‌ରେ କିଛି ଅଜଣା ଲୋକ କୌଣସି ପ୍ରକାରରେ ଝରକା ବାଟ ଦେଇ ମହନ୍ତଙ୍କ କକ୍ଷ ଭିତରକୁ କିଛି ଦହନଶୀଳ ପଦାର୍ଥ ଓ ଜଳନ୍ତା ମଶାଲ ଫିଙ୍ଗି ଦେଇଥିଲେ । ନିଆଁ ହୁତ୍ ହୁତ୍ ହୋଇ ଜଳିବାକୁ ଲାଗିଲା । ନିଆଁ ଧାସରେ ମହନ୍ତ ମହେଶ ଦାସଙ୍କ ନିଦ ଭାଙ୍ଗିଗଲା । ସେ ଉଠି ଦେଖିଲେ କୋଠରି ଧୂଆଁମୟ ଓ ନିଆଁ । କାଳବିଳମ୍ବ ନକରି ମହନ୍ତ କୌଣସି ମତେ ଜୀବନ ବଂଚାଇ କୋଠରୀ ବାହାରକୁ ପଳାଇ ଆସିଲେ । ଆଲାର୍ମ ବଜାଇଲେ । ମହନ୍ତଙ୍କ ଚିତ୍କାର ଶୁଣି ସେବକମାନେ ଧାଇଁ ଆସିଲେ । ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପ୍ରାୟ ଅଧଘଂଟା ଧରି ପାଣି ଓ ବାଲି ପକାଇଥିଲେ । ନିଆଁ ଲିଭିବା ବେଳକୁ ଆଉ କିଛି ବାକି ନଥିଲା ।

ଘର ଭିତରେ ଥିବା ସବୁ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା । ମହନ୍ତ ସଙ୍ଗେ ସଙ୍ଗେ ଥାନାକୁ ଫୋନ୍ କରି ସବୁ ବିଷୟ ଜଣାଇଲେ । ଯଥା ସମୟରେ ପୁଲିସ ଆଶ୍ରମରେ ପହଂଚି ତଦନ୍ତ ଆରମ୍ଭ କରିଛି । ମହନ୍ତଙ୍କର କୌଣସି ଶତ୍ରୁ ଏପରି କାମ କରିଥିବା ସନ୍ଦେହ କରାଯାଉଛି । ବସନ୍ତିୟା ପଟ୍ଟିସ୍ଥିତ ମହନ୍ତ ରାମଚରଣ ଦାସଙ୍କ ଆଡକୁ ଇଙ୍ଗିତ କରିଛନ୍ତି ମହନ୍ତ ମହେଶ ଦାସ । ମହନ୍ତ କହିଛନ୍ତି, ସେବକ ଲଡୁ ଦାସ, ମନୁ ଦାସ, ମଣିରାମ ଦାସ, ମମତା ଦେବୀ, ନୀତୁ ଦେବୀ, ଖୁସ୍‌ବୁ ଓ ଶିବାନୀ ଇତ୍ୟାଦିଙ୍କୁ ଆଶ୍ରମରୁ ବାହାର କରି ଦିଆଯାଇଥିବାରୁ ସେମାନେ ମିଳିତ ଷଡ଼ଯନ୍ତ୍ର କରିଛନ୍ତି । ମହନ୍ତ ରାମଚରଣ ଦାସଙ୍କ ନିକଟରୁ ବଳ ପାଇ ମହେଶଙ୍କ ପୂର୍ବତନ ସେବକ ସେବିକାମାନେ ଏ ପ୍ରକାର ହୀନକର୍ମ କରିଛନ୍ତି । ନିକଟ ଅତୀତରେ ପୂର୍ବତନ ସେବକ ସେବିକାମାନେ ମହେଶଙ୍କୁ ବଦନାମ କରିବା ପାଇଁ ଥାନାରେ ମିଛ ଅଭିଯୋଗ କରିଥିଲେ । ବସନ୍ତିୟା ମଠ ସହିତ ହନୁମାନ ଗଡ଼ିର ଆର୍ଥିକ ବିବାଦ ଲାଗି ରହିଛି । ବିଗତ ଦୁଇବର୍ଷ ହେବ, ବସନ୍ତିୟା ମଠରୁ ହନୁମାନ ଗଡ଼ିକୁ ଆର୍ଥିକ ସହାୟତା ମିଳୁନି । ଏପରିକି ଦାନ ବାକ୍ସକୁ ମଧ୍ୟ ବସନ୍ତିୟ।। ପଟ୍ଟି ମୁଖ୍ୟ ପୂଜକ ନେଇ ଯାଇଛନ୍ତି । ପ୍ରାୟ ୨ କୋଟି ଟଙ୍କା ତୋଷରପାତ କରିଛନ୍ତି ବସନ୍ତିୟା ପଟ୍ଟି ମହନ୍ତ ।

ଏ ସଂପର୍କରେ ଗାଦିନାସୀନ ମହନ୍ତ ପ୍ରେମଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରକୃତ ମାମଲା ହେଉଛି, ହନୁମାନ ଗଡ଼ିର ଚାରିଟି ମୁଖ୍ୟ କ୍ଷେତ୍ର ରହିଛି ଯଥା-ଉଜ୍ଜୟିନିୟା, ବସନ୍ତିୟା, ସାଗରି ଓ ହରିଦ୍ୱାରୀ । ହନୁମାନ ଗଡ଼ିରେ ପ୍ରାୟ ୪୦ଟି ଆଶ୍ରମ ରହିଛି । ସବୁ ଆଶ୍ରମର ମୁଖ୍ୟ ହେଉଛି ଗୋବିନ୍ଦଗଡ଼ ଆଶ୍ରମ । ପୁଲିସ ଆଶ୍ରମରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜକୁ ନେଇ ଯାଂଚ କରୁଛି ।