ମହାକାଶରେ ଫସିରହିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ

କେବେ ଫେରିବେ କେମିତି ଫେରିବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଆଉ ଅଧିକ ଦିନ ରହିଲେ ବିକିରଣର ମଧ୍ୟ ବିପଦ ରହିଛି। ତେବେ କୁହାଯାଉଛି ମହାକାଶରେ ଆହୁରି ଅଧିକ ଦିନ ବିତାଇପାରନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର। ନାସା ପକ୍ଷରୁ ଦିଆଯାଇଥିବା ଏହି ସୂଚନା ଏବେ ସମସ୍ତଙ୍କୁ ବଡ଼ ଝଟକା ଲାଗିଛି। ଦୁହେଁ ଜୁନ୍ ୫ ରେ ବୋଇଂର ଷ୍ଟାରଲାଇନର ଯାନରେ ୧୩ ଦିନିଆ ମହାକାଶ ଅଭିଯାନରେ ଯାଇଥିଲେ କିନ୍ତୁ ଦୁଇ ମାସ ପରେ ମଧ୍ୟ ସେମାନେ ଫେରିପାରିନାହାନ୍ତି। ଆଉ ଏବେ ଆହୁରି ବର୍ଷେ ପରେ ଫେରିବେ ବୋଲି କୁହାଯାଉଛି ।

ଷ୍ଟାରଲାଇନର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲ୍ମୋରଙ୍କୁ ମହାକାଶରୁ ଫେରାଇ ଆଣିବା ପାଇଁ ସମସ୍ତ ବିକଳ୍ପ ଉପରେ ବିଚାର କରାଯାଇଛି ବୋଲି ନାସା ସୂଚନା ଦେଇଛି । ୨୦୨୫ ଫେବୃଆରୀ ମାସ ସୁଦ୍ଧା ଉଭୟଙ୍କୁ ମହାକାଶରୁ ଫେରାଇ ଅଣାଯାଇପାରିବ ବୋଲି ଆମେରିକୀୟ ମହାକାଶ ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି । ନାସାର ପ୍ରଥମ ବିକଳ୍ପ ହେଉଛି ବୁଚ୍ ଏବଂ ସୁନୀତାଙ୍କୁ ଷ୍ଟାରଲାଇନରକୁ ଫେରାଇ ଆଣିବା । କିନ୍ତୁ ଯଦି ଏହା ନହୁଏ, ତେବେ ଆମ ପାଖରେ ଆହୁରି ଅନେକ ବିକଳ୍ପ ରହିଛି । ଷ୍ଟିଭ୍ କହିଛନ୍ତି ଯେ ନାସା ସ୍ପେସ୍ ଏକ୍ସ ସହ ମିଶି କ୍ରୁ-୯କୁ ମହାକାଶ ଅଭିଯାନକୁ ପଠାଇବା ପାଇଁ କାମ ଚାଲିଛି । ତେଣୁ ଆବଶ୍ୟକ ପଡ଼ିଲେ କ୍ରୁ-୯ରେ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲ୍ମୋରଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି ।

ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲ୍ମୋର୍ କ୍ରୁ ୯ର ଅଂଶ ଭାବରେ ମହାକାଶ ଷ୍ଟେସନରେ କାର୍ୟ୍ୟ କରିବେ ଏବଂ ତା’ପରେ ଫେବୃଆରୀ ୨୦୨୫ ସୁଦ୍ଧା ଚାରି ଜଣ ମହାକାଶଚାରୀଙ୍କୁ ଫେରାଇ ଅଣାଯିବ। ନାସା ଏହା ମଧ୍ୟ ସୂଚନା ଦେଇଛି ଯେ
କ୍ରୁ ୯ ଅଭିଯାନରେ ଏବେ ବିଳମ୍ବ ହେବ । ଯାହା ଚଳିତ ମାସରେ ଉଡ଼ାଣ ଭରିବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ୨୫ କୁ ଘୁଞ୍ଚାଇ ଦିଆଯାଇଛି। କ୍ରୁ-୯ ମିଶନ ରେ ୪ ଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଯିବ । ସ୍ପେସ୍ ଏକ୍ସ ଫାଲକନ୍ ୯ ରକେଟ୍ ଏବଂ ଡ୍ରାଗନ୍ ମହାକାଶଯାନ ଜରିଆରେ ଏହି ଅଭିଯାନ ଆରମ୍ଭ କରାଯିବ।

ମହାକାଶରେ ବିକିରଣ ହେବାର ଆଶଙ୍କା ଅଧିକ ଥାଏ, ଯାହା ମହାକାଶଚାରୀଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ସେହିପରି ମହାକାଶରେ ମାଧ୍ୟାକର୍ଷଣ ଅଭାବରୁ ମୁହଁ ଫୁଲିବା ସହ ଶରୀରର ତଳ ଭାଗରେ ତରଳ ପଦାର୍ଥର ଅଭାବ ଦେଖାଦେଇଥାଏ। ଏହାବ୍ୟତୀତ ମହାକାଶରେ ଅଧିକ ଦିନ ବିତାଇବା ଦ୍ୱାରା ଶରୀରରେ ରକ୍ତ ନଷ୍ଟ ହୋଇଥାଏ। ଏଭଳି ସ୍ଥିତିରେ ଫେବ୍ରୁଆରି ସୁଦ୍ଧା ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ଯୋଜନାକୁ ନାସା ପ୍ରକୃତରେ ଅନୁମୋଦନ କରିବ କି ନାହିଁ ତାହା ଅପେକ୍ଷା।