ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ପିଏଲଏ ସୈନିକ ପ୍ରାଣ ହରାଇଥିବା ସ୍ୱୀକାର କରିଛି ଚୀନ୍। ଏନେଇ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ବୋଲାଉଥିବା ଗ୍ଲୋବାଲ୍ ଟାଇମ୍ସ ସ୍ପଷ୍ଟ କରିଛି। ତେବେ କେତେ ସଂଖ୍ୟକ ଚୀନ୍ ସୈନିକ ଏଲଏସିରେ ସେଦିନ ପ୍ରାଣ ହରାଇଥିଲେ ଏ ବାବଦରେ କିଛି କୁହାଯାଇନାହିଁ।
ଗ୍ଲୋବାଲ୍ ଟାଇମ୍ସର ମୁଖ୍ୟ ସଂପାଦକ ହୁ ସିଜିନ୍ ଗତକାଲି ଏକ ଟ୍ବିଟ୍ କରିଛନ୍ତି। ଯେଉଁଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଗଲୱାନ ସଂଘର୍ଷକୁ ନେଇ ରଖିଥିବା ମତକୁ ସେ ମିଛ ବୋଲି ଦର୍ଶାଇଛନ୍ତି। ସେହି ଘଟଣାରେ ଭାରତ ଠାରୁ ଚୀନର କମ୍ ସୈନିକ ମରିଥିବା ସେ କହିଛନ୍ତି। ଯାହାକି ଚୀନର ପୋଲ୍ ଖୋଲି ଦେଇଛି। ପୂର୍ବରୁ ଚୀନ୍ ଏହାର କୌଣସି ସୈନିକ ଗଲୱାନରେ ମରିଥିବା ସ୍ବୀକାର କରୁନଥିଲା। ତେବେ ହୁ ସିଜିନଙ୍କ ମତ ସ୍ପଷ୍ଟ କରୁଛି ଯେ ଚୀନ୍ ସେନା ଏନେଇ ଡାହା ମିଛ କହୁଥିଲା।

ସେ ଲେଖିଛନ୍ତି, ‘ମୋ ଜାଣିବାରେ, ଜୁନ ୧୫ର ଗଲୱାନ ସଂଘର୍ଷରେ ଭାରତର ୨୦ ଯବାନ ମରିଥିବା ବେଳେ ଚୀନର ତା ଠାରୁ ବହୁତ କମ ଯବାନ ମରିଛନ୍ତି। ଭାରୟୀତ ସେନା ଦ୍ୱାରା କୌଣସି ଚୀନ୍ ଯବାନ ବନ୍ଦୀ ହୋଇନଥିଲେ, କିନ୍ତୁ ପିଏଲଏ ବହୁ ଭାରତୀୟ ସୈନିକଙ୍କୁ ସେହିଦିନ ବନ୍ଧକ ବନାଇଥିଲା’। ଏଥିସହ ସଂସଦରେ ରାଜନାଥ ସିଂଙ୍କ ମନ୍ତବ୍ୟକୁ ନେଇ ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟର ସ୍କ୍ରିନସଟ୍ ରଖି ସେ ଏହାକୁ ମିଛ ବୋଲି ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦର ଉଭୟ ସଦନରେ ସ୍ପଷ୍ଟ କରିସାରିଛନ୍ତି ଯେ ଗଲୱାନ୍ ସଂଘର୍ଷରେ ଭାରତୀୟ ସେନା ଚୀନକୁ ବହୁଳ କ୍ଷତି ପହଞ୍ଚାଇଛନ୍ତି। ପୂର୍ବରୁ ମଧ୍ୟ ଏକ ଆମେରିକୀୟ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ୬୦ ନୁହେଁ ବରଂ ଏହାଠୁ ଅଧିକ ପିଏଲଏ ସୈନିକ ସେଦିନ ଗଲୱାନ ସଂଘର୍ଷରେ ମୃତାହତ ହୋଇଛନ୍ତି। ଯାହାକି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା।