ସୁଧୁରି ଯାଅ ବିଶ୍ୱବାସୀ: ହିରୋସୀମା ଉପରେ ପରମାଣୁ ବୋମାମାଡ଼କୁ ପୁରିଲା ୮୦ ବର୍ଷ

୧୯୪୫ ମସିହା ଅଗଷ୍ଟ ମାସ ୬ ତାରିଖ । ଏହି ଦିନଟି ଆଧୁନିକ ବିଶ୍ୱକର୍ମାଙ୍କ ପାଇଁ କଳାଦିବସ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମା ବ୍ୟବହାର କରି ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱବାସୀଙ୍କ ଦୃଷ୍ଟିରେ ମହାନାୟକ ହୋଇଗଲା । ଶକ୍ତିଶାଳୀ ଓ ଅପରାଜେୟ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ଦୁଇଟି ବୋମା ପକାଇଦେଲା ଯୁକ୍ତରାଷ୍ଟ୍ର ଆମେରିକା ।

ଆଖିର ପଲକ ପଡ଼ିବା ଭିତରେ ଦୁଇଟି ଚକାଚକ୍ ସହର ହୋଇଗଲା ବିବର୍ଣ୍ଣ । ପ୍ରଥମ ପରମାଣୁ ବୋମାଟି ୬ ତାରିଖ ଦିନ ହିରୋସୀମା ସହର ଉପରେ ପଡ଼ିଲା । ଦ୍ୱିତୀୟ ବୋମାଟି ୯ ତାରିଖ ଦିନ ପଡ଼ିଲା ନାଗାସାକି ସହର ଉପରେ ।

ଟଳିପଡ଼ିଲା ଆକାଶକୁ ହାତ ବଢ଼ାଉଥିବା ସୁଉଚ୍ଚ ଅଟ୍ଟାଳିକା । ଟଳିପଡ଼ିଲେ ହଜାର ହଜାର ଶିଶୁ, ମହିଳା, ପୁରୁଷ । ମାଟିରେ ମିଶିଗଲା ଦୁଇଟି ସହର । ମାଟିରେ ମିଶିଗଲା ଜାପାନର ସାମାଜିକ ଓ ଅର୍ଥନୈତିକ ସ୍ଥିତି । ସେହି ଧ୍ୱଂସସ୍ତୁପ ଭିତରୁ କୌଣସି ରୂପେ ଜୀବନ ଧରି ବାହାରି ଆସିଥିଲେ ୬ ବର୍ଷୀୟ ସିଙ୍ଗୋ ନାଇଟୋ । ପରମାଣୁ ବୋମା ତାଙ୍କ ବାପା ଓ ଦୁଇଭାଇଙ୍କୁ ମାଟିରେ ମିଶାଇ ଦେଇଥିଲା । ସେ ଦିନର ବାଳୁତ ନାଇଟୋ ଆଜି ପରିଣତ ବୟସରେ ପାଳନ କରିଛନ୍ତି ପରମାଣୁ ବିଭୀଷିକାର ୮୦ ବର୍ଷର ଇତିହାସକୁ । କିଛି ଯୁବକ ଯୁବତୀଙ୍କ ଆଗରେ ବର୍ଣ୍ଣନା କରିଛନ୍ତି ଅଙ୍ଗେନିଭା କଥାକୁ ।

ଜାପାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମାମାଡ଼କୁ ପୁରିଯାଇଛି ୮୦ ବର୍ଷ । ଇତିହାସର ଏମିତି ଏକ କଳଙ୍କିତ ଅଧ୍ୟାୟକୁ ମନେ ପକାଇଛି ଜାପାନ । ବୁଧବାର ସକାଳେ ଜାପାନର ନରନାରୀ ଆବାଳ ବୃଦ୍ଧବନିତା ଏକଜୁଟ ହୋଇ କରିଥିଲେ ନିରବ ପ୍ରାର୍ଥନା । ଏ ନିରବ ପ୍ରାର୍ଥନା ଥିଲା ପରମାଣୁ ବୋମାମାଡ଼ରେ ଜୀବନ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ । ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇସିବା ଉକ୍ତ ପ୍ରାର୍ଥନା ସଭାରେ ଯୋଗଦାନ କରିଥିଲେ ।ଏଠାରେ ଜଣାଇ ଦିଆଯାଉଛି, ପରମାଣୁ ବୋମା ପଡ଼ିବା ପରେ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହୋଇଯାଇଥିଲା ।