ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବାର ମାତ୍ର ୨ ମାସରୁ କମ୍ ସମୟ ଭିତରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଥିଲେ । ଏହାର ମାତ୍ର ଦୁଇ ମାସରୁ କମ୍ ସମୟ ଭିତରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡରେ ୨୫ ଲକ୍ଷ ହିତାଧିକାରୀ ସାମିଲ ହେବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ସଫଳତା ।
ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବା ଦିନଠାରୁ ହିତାଧିକାରୀଙ୍କୁ ମିଳିଛି ୪୦କୋଟିରୁ ଅଧିକ ଟଙ୍କାର ଚିକିତ୍ସା । ଏଥିରେ ୭୦ ବର୍ଷ ଓ ତାଠାରୁ ଅଧିକ ବର୍ଷ ବୟସର ୨୨୦୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି । ହିତାଧିକାରୀମାନେ ହୃତପିଣ୍ଡରେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି, ନିତମ୍ୱ ଗଣ୍ଠି ହାଡ଼ ଭାଙ୍ଗି ଯାଇଥିଲେ ତାର ଚିକିତ୍ସା କରିଛନ୍ତି ବା ଏହି ହାଡ଼ର ପ୍ରତିସ୍ଥାପନ କରିଛନ୍ତି । ଏହା ସହିତ ପିତ୍ତକୋଷର ଅପସାରଣ, ଚାଳିସିଆ ହୋଇ ଆଖିରେ ପରଳ ପଡ଼ିଥିଲେ ଅସ୍ତ୍ରୋପଚାର କରିଛନ୍ତି । ସେହିପରି ପ୍ରୋଷ୍ଟେଟ୍ ଗ୍ରନ୍ଥି ସମସ୍ୟା, ହୃଦଘାତର ଚିକିତ୍ସା, ଡାଇଲିସିସ୍, ଟାଇଫଏଡ୍ ଓ ଅନ୍ୟ ବିଭିନ୍ନ ଜ୍ୱରର ଚିକିତ୍ସା କରାଇ ଉପକୃତ ହୋଇଛନ୍ତି ହିତାଧିକାରୀ ।
୭୦ ବର୍ଷ ଓ ଏହାଠାରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (AB PM-JAY) ଯୋଜନାରେ ସାମିଲ କରିବାକୁ ଅକ୍ଟୋବର ୨୯, ୨୦୨୪ରେ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଏହି ସଂପ୍ରସାରଣ ଅନୁସାରେ ଦେଶର ୭୦ ବର୍ଷ ବୟସ ଓ ଏହାଠାରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ “ଆୟୁଷ୍ମାନ ବୟ ବନ୍ଦନା କାର୍ଡ” ପ୍ରଦାନ କରାଯାଉଛି । ଏହି କାର୍ଡ ଜରିଆରେ ହିତାଧିକାରୀମାନେ ବିଭିନ୍ନ ହସପିଟାଲରେ ଚିକିତ୍ସା ସୁବିଧା ପାଇବେ । …
ଆର୍ଥିକ ଓ ସାମାଜିକ ସ୍ଥିତି ଯାହା ହୋଇଥାଉନା କାହିଁକି, ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଜରିଆରେ ୭୦ ବର୍ଷ ଓ ଏହାଠାରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଯେଉଁ ପରିବାର AB PM – JAY ଯୋଜନାର ଆଗରୁ ସାମିଲ ହୋଇଛନ୍ତି, ସେହି ପରିବାରର ୭୦ ବର୍ଷ ଓ ତାଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କାର ଅତିରିକ୍ତ ଚିକିତ୍ସା ସୁବିଧା ମିଳିବ । ଯେଉଁ ବରିଷ୍ଠ ନାଗରିକମାନେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS), ଅବସରପ୍ରାପ୍ତ ସେନା କର୍ମଚାରୀ କନଟ୍ରିବ୍ୟୁଟାରୀ ସ୍ୱାସ୍ଥ୍ୟ ଯୋଜନା ଓ ଆୟୁଷ୍ମାନ ସେଣ୍ଟ୍ରାଲ ଆର୍ଡ ପୋଲିସ ଫୋର୍ସ ( CAPF) ର ହିତାଧିକାରୀ ଅଟନ୍ତି, ସେମାନେ ନିଜର ପୂର୍ବ ଯୋଜନା କିମ୍ୱା AB PM-JAY ମଧ୍ୟରୁ ଗୋଟିଏ ଯୋଜନାକୁ ବାଛି ତାର ସୁବିଧା ନେଇପାରିବେ । ଘରୋଇ ସ୍ୱାସ୍ଥ୍ୟ ବୀମା କରିଥିବା ଓ କର୍ମଚାରୀ ରାଜ୍ୟ ସ୍ୱାସ୍ଥ୍ୟ ବୀମାର ହିତାଧିକାରୀମାନେ ମଧ୍ୟ AB PM-JAYରେ ସାମିଲ ହୋଇପାରିବେ ।
ଆୟୁଷ୍ମାନ ବୟ ବନ୍ଦନା କାର୍ଡରେ ପ୍ରାୟ ୨୦୦୦ ପ୍ରକାର ଚିକିତ୍ସାର ସୁବିଧା ମିଳିବ । ହିତାଧିକାରୀ ଆଗରୁ କୌଣସି ରୋଗରେ ପୀଡ଼ିତ ଥିଲେ ମଧ୍ୟ ତାଙ୍କ ପାଇଁ ଓ୍ୱେଟିଂ ପିରିୟଡ ବା ଅପେକ୍ଷା ଅବଧି ଲାଗୁ ନ ହୋଇ ପ୍ରଥମ ଦିନରୁ ହିଁ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ ।
ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପାଇଁ ଯୋଗ୍ୟ ବିବେଚିତ ୭୦ ବର୍ଷ ଓ ଏହାଠାରୁ ଅଧିକ ବୟସର ବରିଷ୍ଠ ନାଗରିକ ଏକାଧିକ ଉପାୟରେ ନିଜ ନାଁ ପଂଜୀକରଣ କରିପାରିବେ । ଅନୁବନ୍ଧିତ ହସ୍ପିଟାଲକୁ ଯାଇ ସେମାନେ ନିଜର ନାଁ ପଂଜୀକରଣ କରିପାରିବେ । ମୋବାଇଲରେ ସେମାନେ ନିଜେ ମଧ୍ୟ ନିଜର ନାଁ ପଂଜୀକରଣ କରିପାରିବେ । ଓ୍ୱେବସାଇଟ୍ www. beneficiary.nha.gov.in ଜରିଆରେ ମଧ୍ୟ ବରିଷ୍ଠ ନାଗରିକମାନେ ନିଜକୁ ଏହି ଯୋଜନାରେ ସାମିଲ କରିପାରିବେ ।