ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟରେ ଦୁଷ୍କର୍ମ ଅପରାଧୀଙ୍କୁ ଜେଲ ବାହାରେ ମିଠାଇ ଖୁଆଇ, ପାଦଛୁଇଁ ସ୍ୱାଗତ କରିବାର ବିଧି ଅଛି । ଅବଶ୍ୟ ସବୁ ଦୋଷୀଙ୍କ ଭାଗ୍ୟରେ ଏଭଳି ଭବ୍ୟ ସ୍ୱାଗତ ଜୁଟେ ନାହିଁ । ମାତ୍ର ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଆସାମୀ ଜେଲରୁ ବାହାରିବା ପରେ କିଛି ଯୁବକ ସେମାନଙ୍କୁ ବନ୍ଦାପନା କରିଥିଲେ । ଜେଲରେ ରହିବା ଫଳରେ ୧୧ ଆସାମୀଙ୍କ ପାପ ଧୋଇଗଲା, ସେମାନଙ୍କ ଭିତରେ ଦିବ୍ୟ ଚେତନା ଜାଗ୍ରତ ହୋଇଥିଲା । ଘଟଣାଟି ଗୁଜରାଟରେ ଗୋଧ୍ରାକାଣ୍ଡ ସମୟର । ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଜେଲଦଣ୍ଡ ପ୍ରଦାନ କରିଥିଲେ । ମାତ୍ର ଗୁଜରାଟ ସରକାରଙ୍କ କ୍ଷମାନୀତି ତରାଜୁରେ ସେମାନଙ୍କ ଦଣ୍ଡ ଗର୍ହିତ ଅପରାଧ ଭିତରେ ଗଣାହେଲାନି । ତେଣୁ ୧୧ ଅପରାଧୀଙ୍କୁ ଜେଲରୁ ଖଲାସ କରି ଦିଆଗଲା । ଘଟଣାର ପୃଷ୍ଠଭୂମି ଉପରେ ସାମାନ୍ୟ ଦୃଷ୍ଟି ପକାଇବା । ୨୦୦୨ରେ ଗୁଜରାଟରେ ଗୋଧ୍ରାକାଣ୍ଡ ଘଟିଲା । ୨୦୦୨ ମାର୍ଚ୍ଚ ୩ ତାରିଖରେ ଦାହୋଦ ଜିଲ୍ଲାର ରନ୍ଧିକପୁର ଗ୍ରାମରେ ବିଲକିସ୍ ବାନୋ ଗଣଦୁଷ୍କର୍ମର ଶିକାର ହେଲେ । ତାଙ୍କ ପରିବାରର ସାତଜଣଙ୍କୁ ମାରି ଦିଆଗଲା । ପୀଡ଼ିତା ସେତେବେଳକୁ ୫ ମାସର ଗର୍ଭବତୀ ଥିଲେ ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧେଶ୍ୟାମ ଶାହୀ, ଜସବନ୍ତ ଚତୁରଭାଇ ନାଈ, କେଶୁଭାଇ ବଦାନିୟା, ବକାଭାଇ ବଦାନିୟା, ରାଜୀବଭାଇ ସୋନୀ, ରମେଶଭାଇ ଚୌହାନ୍, ଶୈଲେଶଭାଇ ଭଟ୍ଟ, ବିପିନ ଚନ୍ଦ୍ର ଜୋଷୀ, ଗୋବିନ୍ଦଭାଇ ନାଈ, ମିତେଶ ଭଟ୍ଟ, ଓ ପ୍ରବୀଣ ମୋଢ଼ିଆଙ୍କ ବିରୋଧରେ ମାମଲା ରୁଜୁ କରାଗଲା । ୨୦୦୪ରେ ଅଭିଯୁକ୍ତଙ୍କୁ ଗିରଫ କରାଗଲା । ପୀଡ଼ିତା ବିଲକିସ୍ ବାନୋଙ୍କ ମନରେ ଆଶଙ୍କା ଜାତ ହେଲା ଯେ ସିବିଆଇ ଦୁଷ୍କର୍ମ ମାମଲାର ପ୍ରମାଣ ନଷ୍ଟ କରିପାରନ୍ତି । କୌଣସି ଚାପ ପକାଇ ସାକ୍ଷୀମାନଙ୍କ ବୟାନ ବଦଳାଇ ଦିଆଯାଇପାରେ । ବାନୋଙ୍କ ଅନୁରୋଧର ବିଚାର କରି ସୁପ୍ରିମକୋର୍ଟ ୨୦୦୪ ଅଗଷ୍ଟରେ ମାମଲାକୁ ମୁମ୍ବାଇ ସିବିଆଇ କୋର୍ଟକୁ ସ୍ଥାନାନ୍ତର କଲେ । ୨୦୦୮ ଜାନୁଆରୀରେ ସିବିଆଇ କୋର୍ଟ ସବୁ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କଲେ । ମାମଲାର ପୁନର୍ବିଚାର ବମ୍ବେ ହାଇକୋର୍ଟରେ ହେଲା । ବମ୍ବେ ହାଇକୋର୍ଟ ସିବିଆଇ କୋର୍ଟଙ୍କ ରାୟକୁ କାଏମ ରଖିଲେ ।
ତହୁ ଆସାମୀ ରାଧେଶ୍ୟାମ ଶାହି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଆସାମୀଙ୍କୁ ବମ୍ବେ ହାଇକୋର୍ଟ ଦଣ୍ଡ ବିଧାନ କରିଥିବାରୁ ସେମାନଙ୍କୁ କ୍ଷମା ଦେବାର ଅଧିକାର କେବଳ ମହାରାଷ୍ଟ୍ର ସରକାରଙ୍କର ରହିଛି କହି ଗୁଜରାଟ ହାଇକୋର୍ଟ ଶାହିଙ୍କ ପିଟିସନ୍କୁ ଖାରଜ କରିଦେଲେ । ରାଧେଶ୍ୟାମ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରି ଜଣାଇଲେ ଯେ ସେ ୨୦୨୨ ଅପ୍ରେଲ ପର୍ଯ୍ୟନ୍ତ ବିନା ଛୁଟିରେ ୧୫ ବର୍ଷ ୪ ମାସ ଛୁଟି କାଟି ସାରିଛନ୍ତି । ପିଟିସନର ବିଚାର କରି ମେ’ ୧୩ ତାରିଖରେ ସୁପ୍ରିମକୋର୍ଟ କହିଲେ, ଗୁଜରାଟରେ ଅପରାଧ କରାଯାଇଥିବାରୁ ଗୁଜରାଟ ସରକାର ରାଧେଶ୍ୟାମ ମାମଲାର ଯାଂଚ କରିବା ଉଚିତ । ଗୁଜରାଟ ସରକାରଙ୍କର କ୍ଷମା ନୀତି ଆଧାରରେ ଦୁଇମାସ ଭିତରେ ଫଇସଲା କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଲେ । ଆଦେଶ ପାଇ ଗୁଜରାଟ ସରକାର ଏକ କମିଟି ଗଠନ କରି ରାଧେଶ୍ୟାମ ମାମଲାର ଯାଂଚ କଲେ ।