ବାଇମନ ହୋ, ଦେଖ ଲୁମ୍ବିନି ବନ

ଚାଖ ଭୁଟାନ ଦହି, ରମ ଥାଇ-ସୁନ୍ଦରୀ …..

ନୂଆଦିଲ୍ଲୀ : ସଡ଼କରେ ଯାତ୍ରା କରିବାର ଅନୁଭୂତି ଟିକେ ଅଲଗା । ରାସ୍ତାରେ ଯାତ୍ରା ସମୟରେ ପ୍ରକୃତିର ରମଣୀୟ ଶୋଭାକୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିଥାଏ । ଟ୍ରେନ କି ବିମାନ ଯାତ୍ରା ସମୟରେ ଯୋଉ ସୁବିଧା ସୁଯୋଗ ପାଇଥାନ୍ତି । ସଡ଼କ ଯାତ୍ରାରେ ସେସବୁ ମିଳି ନଥାଏ । ଭାରତର ଲୋକମାନେ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବା ପାଇଁ ସଡ଼କ ପଥକୁ ଉପଯୁକ୍ତ ମଣିଥାନ୍ତି । ଖୁବ କମ୍‌ ଲୋକେ ଜାଣନ୍ତି ଯେ ସଡ଼କ ପଥକୁ ବ୍ୟବହାର କରି ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯାଇପାରିବେ ଓ ସଡ଼କ କଡ଼ର ଅପାଶୋରା ଶୋଭାକୁ ଅତି ନିକଟରୁ ଉପଭୋଗ କରିପାରିବେ ।

ଆପଣ ଭାରତରୁ ନେପାଳକୁ ଯିବା ପାଇଁ ସଡ଼କ ପଥ ବ୍ୟବହାର କରିପାରନ୍ତି । ନେପାଳ ଯିବା ବାଟରେ ଆପଣ ସୁଦୃଶ୍ୟ ପାହାଡ଼ମାଳା ଦେଖିପାରିବେ । ନେପାଳ ଯିବା ପାଇଁ କୌଣସି କଟକଣା ନାହିଁ । ଆପଣଙ୍କୁ କୌଣସି ସରକାରଙ୍କ ଅନୁମତି କି ଲାଇସେନ୍ସ ଦରକାର ପଡ଼ିବନି । ଭାରତ ସରକାରଙ୍କ ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖି ଆପଣ ନେପାଳ ଭିତରେ ଗାଡ଼ି ଚଳାଇ ପାରିବେ । ନେପାଳ ଯିବା ପାଇଁ ଭାରତ ସରକାରଙ୍କ ଭିସା ଦରକାର ପଡ଼ିବନି । ଦିଲ୍ଲୀରୁ କାଠମାଣ୍ଡୁ ଯାତ୍ରା କରୁଥିଲେ ଆପଣଙ୍କୁ ସୋନୌଲି ସୀମା ବାଟ ଦେଇ ନେପାଳରେ ପ୍ରବେଶ କରିପାରିବେ । ଦିଲ୍ଲୀରୁ ନେପାଳ ପ୍ରାୟ ୧୦୭୯ କିଲୋମିଟର ।

ନେପାଳ ଭଳି ଭୁଟ୍ଟାନକୁ ସଡ଼କ ପଥରେ ଯାତ୍ରା କଲେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । ଭୁଟାନକୁ ଯିବା ପାଇଁ କୌଣସି ଭିସା କି ଅନୁମତିର ଆବଶ୍ୟକତା ପଡ଼ିବନି । କେବଳ ଏତିକି ମନେରଖନ୍ତୁ, ଭୁଟାନ ଭିତରେ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ଗାଡ଼ି ନମ୍ବର ରେଜିଷ୍ଟ୍ରି କରିବାକୁ ପଡ଼ିବ । ସଡ଼କ ପଥରେ ଦିଲ୍ଲୀରୁ ଭୁଟାନ ପ୍ରାୟ ୧୯୧୫ କିଲୋମିଟର ଯାହାକୁ ଆପଣ ୨୭ ଘଂଟା ଭିତରେ ଅତିକ୍ରମ କରିପାରିବେ ।

ସଡ଼କ ପଥରେ ଆପଣ ଥାଇଲାଣ୍ଡକୁ ଯାତ୍ରା କରିପାରିବେ । ଥାଇଲାଣ୍ଡ ଯିବା ବାଟରେ ଆପଣ ସେଠାକାର ସଂସ୍କୃତିକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇପାରିବେ । ଥାଇଲାଣ୍ଡରେ ବହୁତ ସୁନ୍ଦର ସୁନ୍ଦର ସମୁଦ୍ର ଉପକୂଳ, ଗୀର୍ଜା ଓ ମନ୍ଦିର ରହିଛି । ପାଖରେ କମ୍‌ ବଜେଟ୍‌ ଥିଲେ ମଧ୍ୟ ଆପଣ ଆରାମରେ ଥାଇଲାଣ୍ଡ ବୁଲିପାରିବେ । ଥାଇଲାଣ୍ଡ ଯିବା ପାଇଁ ଆପଣଙ୍କୁ ଭିସା ଓ ସ୍ୱତନ୍ତ୍ର ଅନୁମତି ଦରକାର ପଡ଼ିବ । ସଡ଼କ ପଥରେ ଦିଲ୍ଲୀରୁ ଥାଇଲାଣ୍ଡ ପ୍ରାୟ ୭୫ ଘଂଟାର ଯାତ୍ରା ଅର୍ଥାତ୍‌ ୪,୧୩୮ କିଲୋମିଟର ।