ଏପ୍ରିଲ ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ନୂଆ ଷ୍ଟ୍ରେନକୁ ନେଇ ଆଜି ଡିଜିସିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଛି। ଏହାର ଅର୍ଥ ଏପ୍ରିଲ ୩୦ ଯାଏ ଭାରତରୁ ବିଦେଶକୁ କୌଣସି ପ୍ରକାରର ନିୟମିତ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ।

ତେବେ ଏହି କଟକଣା ମାଲ ପରିବହନ ଓ ଔଷଧ ନେବା ଆଣିବା କରୁଥିବା ବିମାନ ଗୁଡ଼ିକ ଉପରେ ଲାଗୁହେବନାହିଁ। ସେହିପରି ଦରକାର ପଡ଼ିଲେ ପ୍ରଶାସନିକ ଅନୁମତିକ୍ରମେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଗ୍ରୀନ ସିଗ୍ନାଲ ମିଳିପାରିବ। ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। କିନ୍ତୁ ବିମାନରେ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ପାଳନ କରିବେ ବୋଲି ଡିଜିସିଏ କହିଛି।