ଓଧ ସଙ୍ଗେ ବଣଭୁଆ ବାଇ: ଚୀନ କଥାରେ ପଡ଼ି ଆମେରିକାକୁ ଅପମାନିତ କରୁଛି ପାକିସ୍ତାନ

ଉକ୍ତ ସମ୍ମିଳନୀରେ ଯୋଗଦେବାକୁ ଚୀନ ପାକିସ୍ତାନକୁ ମନା କରିଛି…

ନୂଆଦିଲ୍ଲୀ: ଚୀନ ନିକଟରେ ହାତ ପାତିବାର ପରିଣାମ ଭୋଗୁଛି ପାକିସ୍ତାନ । ଭାରତକୁ ଅଡୁଆରେ ପକାଇବା ପାଇଁ ଚୀନ ସହିତ ହାତ ମିଳାଇବା ପରେ ପାକିସ୍ତାନ ଏବେ ଚୀନ କଥାରେ ନାଚିବା ଆରମ୍ଭ କରିଛି । ପାକିସ୍ତାନକୁ ଉଧାର ଦେଇ ଚୀନ ତାକୁ ଉଠବସ କରୁଛି । ଚୀନ ତା’ର ଅହଂକାର ପାଇଁ ଦୁନିଆ ଆଖିରେ ଖଳନାୟକ ହୋଇସାରିଛି । ଆର୍ଥିକ ସଂକଟରେ କଲବଲ ପାକିସ୍ତାନକୁ ସହାୟତା କରିବାର ପ୍ରତିଶ୍ରୁତି ଦେଇ ଚୀନ ଆପଣା କୂଟନୀତି ଚାଲ ଖେଳିଛି ।

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନଙ୍କ ଆମନ୍ତ୍ରଣକୁ ପାଦରେ ଆଡେ଼ଇ ଦେଇଛି ପାକିସ୍ତାନର ଶହବାଜ ଶରିଫ ସରକାର । ବାଇଡେନଙ୍କ ଦ୍ୱାରା ଆୟୋଜିତ ‘ସମିଟ୍‌ ଫର୍‌ ଡେମୋକ୍ରାସି (ଗଣତନ୍ତ୍ର ପାଇଁ ମହାସମ୍ମିଳନୀ)’କୁ ଚୀନକୁ ଆମନ୍ତ୍ରଣ କରାଯାଇନି । ତେଣୁ ଉକ୍ତ ସମ୍ମିଳନୀରେ ଯୋଗଦେବାକୁ ଚୀନ ପାକିସ୍ତାନକୁ ମନା କରିଛି ।
ରାଷ୍ଟ୍ରପତି ବାଇଡେନ୍‌ ଶତାଧିକ ଦେଶକୁ ଆମନ୍ତ୍ରଣ କରିଛନ୍ତି; ମାତ୍ର ଚୀନକୁ ଡାକିନାହାନ୍ତି ।

ଆମେରିକାର ଆମନ୍ତ୍ରଣକୁ ଅସ୍ୱୀକାର କରିବା ପରେ ପାକିସ୍ତାନ ଗଣମାଧ୍ୟମ ଜରିଆରେ କହିଛି ଯେ ଏକ ଜୀବନ୍ତ ଗଣତନ୍ତ୍ର ଭାବେ ପାକିସ୍ତାନ ଜନତା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅଙ୍ଗୀକାରବଦ୍ଧ । ଗଣତନ୍ତ୍ରର ଦ୍ୱିତୀୟ ମହାସମ୍ମିଳନୀରେ ଯୋଗଦାନ କରିବା ପାଇଁ ପାକିସ୍ତାନକୁ ଡକା ଯାଇଥିବାରୁ ଆମେ ଆମେରିକା ନିକଟରେ କୃତଜ୍ଞ ।

ସମୟ ସହିତ ତାଳ ଦେଇ ପାକିସ୍ତାନ ଜନତା ମାନବାଧିକାର ଓ ମୌଳିକ ଅଧିକାରକୁ ସମ୍ମାନ ପ୍ରଦର୍ଶନ କରି ଚାଲିଥିବ । ପାକିସ୍ତାନ ‘ସମିଟ୍‌ ଫର୍‌ ଡେମୋକ୍ରାସି’ର ପ୍ରଥମ ମହାସମ୍ମିଳନୀରେ ଯୋଗଦାନ କରି ନଥିଲା । ଆମେରିକା ତୁର୍କୀକୁ ମଧ୍ୟ ସମ୍ମିଳନୀକୁ ଡକା ଯାଇନାହିଁ । ତୁର୍କୀ ଓ ପାକିସ୍ତାନ ସହିତ ଚୀନର ଘନିଷ୍ଠ ସଂପର୍କ ରହିଛି ।