ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଘୁରି ବୁଲୁଛନ୍ତି ବହୁ ସାଂଘାତିକ ଲୋକ । ମିଛ ପରିଚୟ ଓ ମିଠାକଥା କହି ପୁରା ଆପଣାର ହୋଇଯିବେ । ମଉକା ଦେଖି ଏମିତି ଚୋଟ ମାରିବେ, ନା ଆପଣ ଆରାମରେ ବଂଚିପାରିବେ ନା ଶାନ୍ତିରେ ମରିପାରିବେ । ଏଇ ଦେଖୁନ, ସୁନ୍ଦରୀ ଅର୍ଚ୍ଚନା ଜାଲରେ ପଡ଼ି ରାଜ୍ୟର ରାଜନେତା, ବ୍ୟବସାୟୀ, ଶିଳ୍ପପତି, ଠିକାଦାରମାନେ କେମିତି ଦହଗଞ୍ଜ ହେଉଛନ୍ତି । ନା ଅର୍ଚ୍ଚନା କବଳରୁ ରକ୍ଷା ପାଇପାରୁଛନ୍ତି ନା ସ୍ତ୍ରୀ ଝାଡୁମାଡ଼ରୁ ତ୍ରାହି ମିଳୁଛି । ସାଙ୍ଗସାଥୀ, ପୁଅଝିଅ ସମସ୍ତଙ୍କଠାରୁ ଟାହିଟାପରା ଶୁଣି ଶୁଣି ଅନେକଙ୍କର ବଂଚିବା କଷ୍ଟକର ହୋଇ ପଡ଼ିଲାଣି । ଆଉ ଗୋଟିଏ ଘଟଣା ଘଟିଛି ବିହାରରେ ।
ଜଣେ ୫୦ ବର୍ଷୀୟ ମୁସଲମାନ ସୋସିଆଲ ମିଡିଆରେ ନକଲି ପରିଚୟ ଓ ଫଟୋ ଦେଖାଇ ବିହାରର ଜଣେ ହିନ୍ଦୁଝିଅଙ୍କୁ ଫସାଇଥିଲା । ଉକ୍ତ ବ୍ୟକ୍ତିଜଣକ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ହୋଟେଲକୁ ଡାକି ଅସଦାଚରଣ କରିଥିଲା । ମାତ୍ର ଠିକଣା ସମୟରେ ହୋଟେଲ କର୍ମଚାରୀମାନେ ପୁଲିସକୁ ସୂଚନା ଦେବାରୁ ଯୁବତୀଜଣକ ରକ୍ଷା ପାଇଗଲେ । ବିଚରା ମୁସଲମାନ ବ୍ୟକ୍ତିଜଣକ ମାମଲାରେ ଫସି ହାଜତକୁ ଯାଇଛନ୍ତି ।
ଗିରଫ ବ୍ୟକ୍ତିର ନାମ ଶେହନଶାହ ଆଲାମ । ସୋସିଆଲ ମିଡିଆ ଜରିଆରେ ବନ୍ଧୁତା ସ୍ଥାପନ କରି ଝିଅଟିକୁ କାନପୁରରେ ଚାକିରି କରାଇ ଦେବେ କହି ହୋଟେଲକୁ ଡାକିଥିଲେ । ସବୁଠାରୁ ସାଂଘାତିକ ଭୁଲ ହେଉଛି ଯେ ଏତେସବୁ ଘଟିବା ପରେ ମଧ୍ୟ ଅଭିଯୁକ୍ତ ମୁସଲମାନ ବ୍ୟକ୍ତି ତାଙ୍କ ଧର୍ମକୁ ଲୁଚାଇଥିଲେ । ପ୍ରାଥମିକ ତଦନ୍ତ କରି ପୁଲିସ କହିଛି, ଗିରଫ ଶେହନଶାହ ଜଣେ ବାଇକ୍ ମେକାନିକ୍ । ଯୁବତୀଙ୍କ ଘର ବିହାରର ମୋତିହାରି ଜିଲ୍ଲାରେ ।
୩ ମାସ ତଳେ ଯୁବତୀ ଜଣକ ଫେସବୁକ୍ ଜରିଆରେ ଶେହନଶାହଙ୍କ ସହ ଯୋଗାଯୋଗ ସ୍ଥାପନ କରିଥିଲେ । ଫେସବୁକରେ ଶେହନଶାହ ନିଜକୁ ସଚିନ ଶର୍ମା ବୋଲି ଦର୍ଶାଇଥିଲେ । ତା’ ସହିତ ନକଲି ଫଟୋ ପ୍ରୋଫାଇଲରେ ଲଗାଇଥିଲେ । ମାମଲାର ତଦନ୍ତ ଜାରି ରହିଛି । ଏମିତି ହଜାର ହଜାର ମିଛ ପରିଚୟ ସୋସିଆଲ ମିଡିଆରେ ଘୁରିବୁଲୁଛି ନିରୀହ ସରଳ ଯୁବକ ଯୁବତୀଙ୍କୁ ଫସାଇବା ପାଇଁ । ସେହି ପରିଚୟକୁ ସତ ମଣି ସଂପର୍କକୁ ଆଗକୁ ନବଢ଼ାଇବା ପାଇଁ ଅନୁରୋଧ କରୁଛୁ ।